ଛତିଶଗଡର କାଙ୍କେରରେ ଅଘଟଣ: ଶୋଇଥିବାବେଳେ ଭୁଶୁଡିପଡିଲା କାନ୍ଥ, ୫ ମୃତ

ରାୟପୁର: ଛତିଶଗଡର କାଙ୍କେରରେ ଘଟିଛି ଏକ ଅଘଟଣ । ଶୋଇଥିବାବେଳେ ଭୁଶୁଡି ପଡ଼ିଛି କାନ୍ଥ | ଫଳରେ ଏହି ଦୁର୍ଘଟଣାରେ ବାପା, ମାଙ୍କ ସମେତ ତିନି ପିଲାଙ୍କର ମୃତ୍ୟୁ ଘଟିଛି |

ମିଳିଥିବା ସୂଚନା ମୁତାବକ ଗତ ଦୁଇ ଦିନ ଧରି କାଙ୍କେର ଜିଲ୍ଲାରେ ଲଗାତାର ବର୍ଷା ହୋଇଛି। ଆଉ ରବିବାର ବିଳମ୍ବିତ ରାତିରେ ଘରର କାନ୍ଥ ଭୁଶୁଡି ପଡିଥିଲା । କୁହାଯାଉଛି ଯେ କାଙ୍କେର ଜିଲ୍ଲାର ପାଖନଜୋର ଅଞ୍ଚଳର ଇରପାନାର ଗ୍ରାମରେ ଏହି ଅଘଟଣ ଘଟିଛି | ଏନେଇ ସୂଚନା ମିଳିବା ପରେ ପ୍ରଶାସନିକ ଅଧିକାରୀଙ୍କ ସହ ପୁଲିସ ଟିମ ଡଙ୍ଗା ସାହାଯ୍ୟରେ ଗାଁରେ ପହଞ୍ଚିଛନ୍ତି ।

ବାସ୍ତବରେ, ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ସବୁ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି | ଯେଉଁଥିପାଇଁ ରାସ୍ତାରେ ପାଣି ଚାଲିଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା | ଆଉ ପ୍ରଶାସନିକ ଅଧିକାରୀମାନେ ଏକ ଡଙ୍ଗା ସାହାଯ୍ୟରେ ଗାଁରେ ପହଞ୍ଚିଛନ୍ତି | କୁହାଯାଉଛି ଯେ ଅତ୍ୟଧିକ ବର୍ଷା ହେତୁ ଗାଁକୁ ସଂଯୋଗ କରୁଥିବା ରାସ୍ତା ଧୋଇଯାଇଥିବାବେଳେ ଏହା ଏକ ମାଓ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ପ୍ରଶାସନିକ ଅଧିକାରୀମାନେ ପୁଲିସ ସହାୟତାରେ ଗାଁରେ ପହଞ୍ଚିଥିଲେ | ତେବେ ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ |

Related Posts