ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏମିତି ବି ଆସେ ମୃତ୍ୟୁ। ଜଣେ ବ୍ୟକ୍ତି ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ହଠାତ୍‌ ଏକ ଲୁହାରଡ଼ ଝରକା ଭାଙ୍ଗି ତାଙ୍କ ଗଳାରେ ପଶିଯାଇଥିଲା। ଫଳରେ ଝରକା ପାଖ ସିଟ୍‌ରେ ବସିଥିବା ଯାତ୍ରୀ ଜଣକର ମୃତ୍ୟୁ ଘଟିଛି। ଯେଉଁ ଅବସ୍ଥାରେ ବ୍ୟକ୍ତି ଜଣକର ମୃତ୍ୟୁ ଘଟିଛି ତାହା ଅତ୍ୟନ୍ତ ହୃଦୟ ବିଦାରକ।ବ୍ୟକ୍ତି ଜଣକ ପାଖ ଝରକା ସିଟ୍‌ରେ ବସିଥିବା ବେଳେ ଯନ୍ତ୍ରଣାରେ ଛଟପଟ ହେବା ଅତିକଷ୍ଟଦାୟକ। ମୃତ ଯାତ୍ରୀ ଜଣକ ହେଉଛନ୍ତି ହରିକେଶ କୁମାର ଦୁବେ। ନିଜ ଆସନରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଖି ବନ୍ଦ କରି ବସିଥିବା ଲକ୍ଷ୍ୟ କରାଯାଇଛି।

ଦିଲ୍ଲୀରୁ କାନପୁର ଅଭିମୁଖେ ଯାଉଥିବା ନିଳାଞ୍ଚଳ ଏକ୍ସପ୍ରେସରେ ହରିକେଶ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଉତ୍ତର କେନ୍ଦ୍ରୀୟ ରେଳବାଇର ପ୍ରୟାଗ ଡିଭିଜନ୍‌ ଧନୱାର ଏବଂ ସୋମନା ମଧ୍ୟରେ ସକାଳ ୮ଟା ୪୫ ରେ ଏହି ଘଟଣା ଘଟିଛି। ରେଳ ଟ୍ରାକ୍ କାର୍ଯ୍ୟରେ ବ୍ୟବହୃତ ଏକ ଲୁହା ରଡ ହଠାତ୍‌ ଝରକା ଭେଦ କରି ତାଙ୍କ ବେକରେ ପଶିଯାଇଥିଲା।

ଏହାପରେ ଟ୍ରେନଟି ଆଲିଗଡ ଜଙ୍କସନରେ ଅଟକିଥିଲା। ହରିକେଶ ମୃତଦେହ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଘଟଣାର ତଦନ୍ତ ଚାଲିଥିବା ଭାରତୀୟ ରେଳବାଇ ଏକ ବିବୃତ୍ତିରେ କହିଛି। ଟ୍ରେନ୍‌ ଝରକା ଭାଙ୍ଗି ଲୁହାରଡ଼ଟି ହରିକେଶଙ୍କ ଉପରେ ବାଜିଥିଲା। ତେବେ ସେଠାରେ ଟ୍ରାକ୍‌ କାମ ଚାଲୁଥିଲାକି ନାହିଁ କିମ୍ବା କେଉଁ କାରଣରୁ ଲୁହା ରଡ଼ଟି ଆସି ବାଜିଲା ତାହା ଜଣାପଡ଼ି ନାହିଁ।