ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ଫସିଥିବା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌର କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ସମୀର କୁମାର ଠାକୁରଙ୍କୁ ଗିରଫ କରାଯାଇଛି। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ସମୀର କୁମାର ଠାକୁରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଥିଲା।

୪ ଟି ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍‌ ଦ୍ୱାରା ଭବାନୀପାଟଣାସ୍ଥିତ ଶ୍ରୀ ଠାକୁରଙ୍କ ୪ଟି ଜାଗାରେ ଚଢ଼ଉ କରାଯାଇଥିଲା। ମହାବୀରପଡ଼ା ସ୍ଥିତ ତିନି ମହଲା କୋଠା, ଇରିଗେସନ କଲୋନିର ଦୁଇ ମହଲା, ମାରୱାଡ଼ି ପଡ଼ା ସ୍ଥିତ ସମ୍ପର୍କୀୟଙ୍କ ଘରେ ଓ ପୌର କାର୍ଯ୍ୟାଳୟ ତାଙ୍କ ଚାମ୍ବରରେ ଚଢ଼ଉ ହୋଇଥିଲା।

ଚଢ଼ଉ ପରେ ତାଙ୍କଠାରୁ ୭୦୩୩ ସ୍କୋୟାର ଫିଟ୍‌ର ଏକ ନିର୍ମାଣାଧୀନ କୋଠା ଯାହାର ମୂଲ୍ୟ ୧ କୋଟି ଟଙ୍କା, ୨୫୦୦ ସ୍କୁୟାର ଫିଟର ଦୁଇ ମହଲା କୋଠା ଯାହାର ମୂଲ୍ୟ ୬୦ ଲକ୍ଷ, ଭବାନୀପାଟଣା ସହର ସ୍ଥିତ ବିଭିନ୍ନ ଜାଗାରେ କିଣିଥିବା ୩ଟି ପ୍ଲଟର ମୂଲ୍ୟାଙ୍କନ ହୋଇ ନଥିବା ବେଳେ ତାଙ୍କ ବ୍ୟାଙ୍କ ଜମାଖାତାରେ ୪୯ହଜାର ୧୬୩, ବ୍ୟାଙ୍କ ଜମା, ପୋଷ୍ଟାଲ, ବୀମା ସମେତ ମ୍ୟୁଚୁଆଲ ଫଣ୍ଡରୁ ୫୨.୫୬ ଲକ୍ଷ, ସୁନାଗହଣା ୨୫୦ ଗ୍ରାମ ଓ ରୁପା ଗହଣା ୯୩୦ ଗ୍ରାମ ୮.୭୧ ଲକ୍ଷ ଓ ଘରକରଣା ସାମଗ୍ରୀ ୧୧.୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଏନେଇ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଥିଲା।