ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): ଚଳିତ ୨୦୨୨ ବର୍ଷରେ ଭିଜିଲାନ୍ସ ଚଢ଼ଉ ସମୟରେ ୧୬୦ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି। ଏହାସହିତ ୭ କୋଟିରୁ ଅଧିକ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏକ ରେକର୍ଡ। ଏତେ ପରିମାଣର ଟଙ୍କା ପୂର୍ବରୁ କେବେ ଜବତ ହୋଇ ନଥିଲା। କେବଳ ଏତିକୁ ନୁହେଁ, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୭୦ଟି ମାମଲା ଭିଜିଲାନ୍ସ ରୁଜୁ କରିଛି।
ସେଥିମଧ୍ୟରୁ ୭୫ଟି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଜନିତ ମାମଲା ହୋଇଥିବା ବେଳେ ୧୧୪ଟି ଲାଞ୍ଚ ନେବା ମାମଲା। ଚଳିତ ବର୍ଷ ୪ଟି ଆୟ ବର୍ହିଭୂତ ସମ୍ପତ୍ତି ଜନିତ ମାମଲା ଭିଜିଲାନ୍ସ ପାଇଁ ଏକ ଉଦାହରଣ ହୋଇ ରହିବ। ସେଥିମଧ୍ୟରୁ ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ମାମଲା ଅନ୍ୟତମ। ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ବର୍ଷ ୬୦ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଏହା ଗତ ୫ ବର୍ଷ ମଧ୍ୟରେ ପ୍ରଥମ।
ସେହିପରି ଚଳିତ ବର୍ଷ ଅଭିଯୁକ୍ତଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଇବାରେ ମଧ୍ୟ ଭିଜିଲାନ୍ସ ରେକର୍ଡ କରିଛି। ଚଳିତ ବର୍ଷ ୮୭ ଜଣଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଯାହାକି ମାମଲାର ୫୦ ପ୍ରତିଶତ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦେଶକ ଯଶୱନ୍ତ ଜେଠୱା। ଗୁରୁବାର ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ, ଜାତୀୟ ରେକର୍ଡ ଦୃଷ୍ଟିରୁ ଚଢ଼ଉ ଏବଂ ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିବାରେ ଏବର୍ଷ ରାଜ୍ୟ ଭିଜିଲାନ୍ସର ପ୍ରଦର୍ଶନ ସବୁଠାରୁ ଭଲ ଥିଲା। ଆସନ୍ତା ବର୍ଷ ମଧ୍ୟ ଏହା ବଜାୟ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏସବୁ ମଧ୍ୟରେ କୋଟିପତି ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ତାଙ୍କଠାରୁ ସର୍ବମୋଟ ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଗୟା ଓ ତାଙ୍କ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪ କୋଟି ୪୪ ଲକ୍ଷ ଟଙ୍କା ଠାବ ହୋଇଥିବା ବେଳେ ତାଙ୍କୁ ଘରୁ ନଗଦ ୧ କୋଟି ୪୪ ହଜାର ୫ଶହ ଟଙ୍କା ଜବତ ହୋଇଛି। ଗୟାଙ୍କ ଭୁବନେଶ୍ବର ମଞ୍ଚେଶ୍ବରରେ ଶିଳ୍ପାଞ୍ଚଳରେ ଏକ ୩ ମହଲା ଘର, ଜୟଦେବ ବିହାରରେ ନିର୍ମାଣାଧୀନ ୪ ମହଲା କୋଠାଘର, ଭୁବନେଶ୍ବରରେ ୭ଟି, ଯାଜପୁରରେ ୫ଟି ଓ ନୟାଗଡ଼ରେ ଗୋଟିଏ ପ୍ଲଟ ରହିଛି। ସେହିପରି ଗୟାଙ୍କର ୧ କେଜି ୯୬ ଗ୍ରାମ ସୁନା ଗହଣା ଓ ୭ କେଜି ୫ଶହ ଗ୍ରାମ ରୁପା ଗହଣା, ୨ଟି କାର ଓ ୪ ଟି ବାଇକ ଥିବା ଜଣାପଡ଼ିଛି।
