ଭୁବନେଶ୍ୱର,୧୮/୧୨(ସତ୍ୟପାଠ ବ୍ୟୁରୋ): ଲୋକପ୍ରିୟ ଅଭିନେତା କମଲ ହାସନ ଆସନ୍ତା ଡିସେମ୍ବର ୨୪ ତାରିଖ ଦିନ ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ଯୋଗ ଦେବେ। ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ଆଗାମୀ ସପ୍ତାହରେ ରାହୁଲ ଗାନ୍ଧିଙ୍କ ସହ ଦିଲ୍ଲୀରେ ପଦଯାତ୍ରାରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଏହି ଦକ୍ଷିଣୀ ଅଭିନେତାଙ୍କ ଦଳ ‘ମକ୍କଲ ନିଦୀ ମୟମ’ ଅନୁସାରେ କମଲଙ୍କୁ ରାହୁଲ ଗାନ୍ଧି ଯାତ୍ରାରେ ଭାଗନେବା ଲାଗି ଆମନ୍ତ୍ରିତ କରିଛନ୍ତି।
ଭାରତ ଯୋଡୋ ଯାତ୍ରା ଡିସେମ୍ବର ୨୪ ତାରିଖ ଦିନ ଦିଲ୍ଲୀରେ ପ୍ରବେଶ କରିବ ଓ ପାଖାପାଖି ୮ ଦିନର ବିଶ୍ରାମ ପରେ ଯାତ୍ରା ବିଜେପି ନେତୃତ୍ୱାଧୀନ ଉତ୍ତରପ୍ରଦେଶ ଓ ହରିୟାଣା ଯିବ। ଆଗାମୀ ମାସରେ ଯାତ୍ରା ଜମ୍ମୁ-କାଶ୍ମୀରରେ ପ୍ରବେଶ କରିବା ପୂର୍ବରୁ ପଞ୍ଜାବ ଯିବ। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଗତ ଶୁକ୍ରବାର ୧୦୦ ଦିନ ପୂରଣ କରିଛି, ଯାହା ଏପର୍ଯ୍ୟନ୍ତ ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଆଦି ୮ଟି ରାଜ୍ୟ ପରିକ୍ରମା କରିଛି। ଯାତ୍ରା ୧୦୦ ଦିନ ପୂରଣ କରିବା କଂଗ୍ରେସ ଏକ ଉପଲବ୍ଧି ବୋଲି କହିଛି।
ଏହି ଯାତ୍ରା କାଳରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ରାହୁଲଙ୍କୁ ସୱାଇ ମାଧୋପୁରରେ ଭେଟିଥିଲେ। ରଘୁରାମ ରାଜନ ଯାତ୍ରାରେ ରାହୁଲଙ୍କ ସହ ଯୋଗ ଦେଇଥିବା ବେଳେ ଦେଶର ଆର୍ଥିକ ବ୍ୟବସ୍ଥା ଓ ଅନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି। ଯାତ୍ରାରେ ରାହୁଲ ଓ ରଘୁରାମ ରାଜନଙ୍କ ଭିଡିଓ ଏବେ ସାରା ଦେଶରେ ଭାଇରାଲ ହେଉଛି। ଏହା ପୂର୍ବରୁ ବଲିଉଡ ଅଭିନେତ୍ରୀ ଶ୍ୱରା ଭାସ୍କର ମଧ୍ୟପ୍ରଦେଶ ଉଜ୍ଜୈନରେ ରାହୁଲଙ୍କ ସହ ଯାତ୍ରାରେ ସାମିଲ ହୋଇଥିଲେ। ସେହିପରି ଅଲିମ୍ପିକ ପଦକ ବିଜେତା ମୁଷ୍ଟିଯୋଦ୍ଧା ତଥା କଂଗ୍ରେସ ନେତା ବିଜେନ୍ଦର ସିଂହ ମଧ୍ୟ ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ଯୋଗ ଦେଇଥିଲେ।
