ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ ଆଲିଆ

ଭୁବନେଶ୍ଵର,୨୫/୨(ସତ୍ୟପାଠ ବ୍ୟୁରୋ): ଦମଦାର ଅଭିନୟ କରି ବଲିଉଡରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକି ଏବେ ନିଜ ବୈବାହିକ ଜୀବନକୁ ନେଇ ବିବାଦକୁ ଆସିଛନ୍ତି। ତାଙ୍କ ବିରୋଧରେ ତାଙ୍କ ପୂର୍ବତନ ପତ୍ନୀ ଆଲିଆ ଘରୋଇ ହିଂସାର ଅଭିଯୋଗ ଆଣିଥିବା ବେଳେ ଏବେ ଆଉ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି। ଆଲିଆ ଏବେ ଅଭିଯୋଗ ଆଣିଛନ୍ତି ଯେ ଅଭିନେତା ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଏ ନେଇ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର୍‌ କରି ଜଣାଇଛନ୍ତି।

ଭିଡିଓରେ ଆଲିଆ କାନ୍ଦି କାନ୍ଦି କହୁଥିବାର ନଜର ଆସିଛନ୍ତି ଯେ ନୱାଜୁଦ୍ଦିନ ନିଜ ସାମର୍ଥ୍ୟ ବଳରେ ଜଣେ ମାଆଠାରୁ ତା’ ଛୁଆକୁ ଛଡ଼େଇବାକୁ ଚାହୁଁଛନ୍ତି। ଆଲିଆ କହିବା ସମୟରେ ଖୁବ୍ ଭାବପ୍ରବଣ ହୋଇ କହୁଛନ୍ତି, ‘ପିଲାର ଡାଇପର୍‌ କେତେ ଟଙ୍କାରେ ଆସେ ତାହା ବି ତମେ ଜାଣନି। କେଉଁ ବୟସରେ ପିଲା କେଉଁ ପୋଷାକ ପିନ୍ଧନ୍ତି ତାହାର ବି ଜ୍ଞାନ ତମ ନିକଟରେ ନାହିଁ। ଆଜି ନିଜର ସାମର୍ଥ୍ୟ ବଳ‌ରେ ଜଣେ ମାଆଠାରୁ ତା’ ପିଲା ଛଡ଼ାଇବାକୁ ଚ‌ାହୁଁଛ? ମୁଁ ତ ସବୁବେଳେ ତମକୁ ମୋ ସ୍ବାମୀ ମାନି ଆସିଛି। ତମେ ସର୍ବସମ୍ମୁଖରେ କହିଦେଲ ଯେ ‌ମୋତେ କେବେ ପତ୍ନୀ ବୋଲି ମାନିନ। ମୋ ଜୀବନରୁ ସବୁଠାରୁ ମୂଲ୍ୟବାନ ସମୟ ମୁଁ ତୁମକୁ ଦେଇ ଦେଇଛି। ଆଜି ମୁଁ ୪୦ ବର୍ଷ ବୟସର। ମୁଁ ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ଏହି ସମୟରେ ତମେ ମୋ ପିଲାକୁ ମୋ ଠାରୁ ଅଲଗା କରିବାକୁ ଚାହୁଁଛ?’ ଆଲିଆ ଭିଡିଓରେ ଏତକ କହିବା ସହ କ୍ୟାପ୍‌ସନ୍‌ରେ ଅଭିନେତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିବା କଥା ଉଲ୍ଲେଖ କରିଛନ୍ତି।

Related Posts