ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଗତକାଲି ଆସିଥିବା ଏକ ଖବର ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା। ଜଣାଶୁଣା ଟେଲି ଅଭିନେତ୍ରୀ ବୈଶାଲୀ ଟକ୍କର ନିଜ ଘରେ ଆତ୍ମହତ୍ୟା କରିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଅଭିନେତ୍ରୀ ଇନ୍ଦୋରରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।ଅଭିନେତ୍ରୀଙ୍କ ମୃତଦେହ ପାଖରୁ ଏକ ସୁୁଇସାଇଡ ନୋଟ ଜବତ ହୋଇଥିବା ବେଳେ ଏବେ ଏହା ଭିତରେ ଲେଖାଥିବା କଥା ସାମ୍ନାକୁ ଆସିଛି। ବୈଶାଲୀ ଆତ୍ମହତ୍ୟା କାହିଁକି କଲେ, ଏହାର କାରଣ ସେ ସୁୁଇସାଇଡ ନୋଟରେ ଲେଖିଥିବା ସାମ୍ନାକୁ ଆସିଛି।

ବୈଶାଲୀଙ୍କୁ ତାଙ୍କ ପୂର୍ବ ପ୍ରେମିକ ହଇରାଣ କରୁଥିବା କଥା ଜଣାପଡ଼ିଥିଲେ ବି ପୂର୍ବ ପ୍ରେମିକ ଜଣକ କିଏ ବୋଲି ଜଣା ପଡ଼ିନଥିଲା। ଏବେ ଜାଣିବାକୁ ମିଳିଛି ‌ଯେ ବୈଶାଲୀ ରାହୁଲ ନାମକ ଜଣେ ଯୁବକଙ୍କ ବିଷୟରେ ଲେଖିଛନ୍ତି। ରାହୁଲ ତାଙ୍କୁ ଶାରୀରିକ ଓ ମାନସିକ ଭାବେ ହଇରାଣ କରୁଥିବା କଥା ସେ ଲେଖିଛନ୍ତି। ବୈଶାଲୀଙ୍କ ରୁମ୍‌ରୁ ମିଳିଥିବା ଡାଏରିରେ ଏ ସବୁ ସୂଚନା ରହିଛି। ସେ ତାଙ୍କ ଡାଏରୀରେ ନିଜ ବାପାମାଆଙ୍କୁ କ୍ଷମା ମାଗିଛନ୍ତି। ଭଲ ଝିଅ ହୋଇ ପାରିଲେନି ବୋଲି ପଶ୍ଚାତାପ କରିଛନ୍ତି। ତାଙ୍କ ଡାଏରିରେ ରାହୁଲଙ୍କ ସହ ଦିଶା ନାମ୍ନୀ ଜଣେ ଝିଅ ବିଷୟରେ ବି ଲେଖାଅଛି। ସେ ଶେଷରେ ‘ଆଇ କୁଇଟ୍‌’ ବୋଲି ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ, ବୈଶାଲୀ ଅନେକ ଲୋକପ୍ରିୟ ଧାରାବାହିକରେ କାମ କରିଥିଲେ। ୨୦୧୫ ମସିହାରେ ସେ ଟିଭିର ସବୁଠାରୁ ଲୋକପ୍ରିୟ ସୋ’ ‘ୟେ ରିସ୍ତା କ୍ୟା କେହଲାତା ହେ’ ସହିତ ବୈଶାଲୀ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏହି ସୋ’ରେ ସଞ୍ଜନା ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ‘ସସୁରାଲ ସିମର କା’ରେ ଅଞ୍ଜାଲୀ ଭରଦ୍ୱାଜ, ‘ସୁପର ସିଷ୍ଟର’ରେ ଶିବାନୀ ଶର୍ମା, ‘ବିଷ୍ ୟା ଅମ୍ରିତ’ରେ ନେତ୍ରା ସିଂ ରାଠୋର ଏବଂ ‘ମନମୋହିନୀରେ-୨’ରେ ଅନନ୍ୟା ମିଶ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ ବୈଶାଲୀ।