‘ଦୀର୍ଘଦିନ ମୁଁ ଧରି ଏହାର ଅପେକ୍ଷାରେ ଥିଲି’; କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ସୋନିଆ ଗାନ୍ଧିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ସୋମବାର ମତଦାନ ଜାରି ରହିଛି। ଦେଶର ସର୍ବପୁରାତନ ଦଳର ଏହି ସର୍ବୋଚ୍ଚ ପଦ ପାଇଁ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା ହେଉଛି। ଏହି ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଜି ନୂଆଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟ ପହଞ୍ଚିଥିଲେ।

ଏହି ସମୟରେ ତାଙ୍କୁ ଜଣେ ସାମ୍ବାଦିକ ପ୍ରତିନିଧି ପ୍ରଶ୍ନ କରିଥିଲେ ଯେ, କଣ ଆପଣ ଏହି ନିର୍ବାଚନରେ ଖୁସି ଅଛନ୍ତି କି ? ତେବେ ସାମ୍ବାଦିକଙ୍କ ପ୍ରଶ୍ନର ଜବାବରେ ସୋନିଆ କହିଛନ୍ତି ଯେ, ‘ଦୀର୍ଘ ସମୟ ଧରି ମୁଁ ଏହାର ଅପେକ୍ଷାରେ ଥିଲି’।

ଅନ୍ୟପଟେ ସୋନିଆ ଗାନ୍ଧୀ ଦଳ ମୁଖ୍ୟାଳୟରେ ମତଦାନ କରିଛନ୍ତି। ତାଙ୍କ ସହିତ ଦଳର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବି ମତଦାନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ଭୋଟିଂ କରିଛନ୍ତି। ପାର୍ଟି ମୁଖ୍ୟାଳୟରେ ପି ଚିଦାମ୍ବରମ ସର୍ବ ପ୍ରଥମେ ମତଦାନ କରିଛନ୍ତି। ତାଙ୍କ ପରେ ସାଧାରଣ ସଂପାଦକ ଜୟରାମ ରମେଶ, ଅଜୟ ମାକନ, ମୁକୁଲ ଓ୍ଵାସନିକ, ବରିଷ୍ଠ ନେତା ଅମ୍ବିକା ସୋନି, ବିବେକ ଖନ୍ନା ଏବଂ ଅନେକ ଭୋଟିଂ କରିଛନ୍ତି।

ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ଜଣେ ଅଣ ଗାନ୍ଧୀ ଅଧ୍ୟକ୍ଷ ମିଳିବାକୁ ଯାଉଛି। କଂଗ୍ରେସର ପ୍ରାୟ ୯ ହଜାରରୁ ଅଧିକ ପ୍ରତିନିଧି ଏହି ନିର୍ବାଚନରେ ମତଦାନ କରିବେ। ମଇଦାନରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର ଅଛନ୍ତି। ଉଭୟଙ୍କ ମଧ୍ୟରୁ ଖଡଗେଙ୍କ ପଲ୍ଲା ବହୁତ ଭାରି ରହିଥିବା ଜଣାପଡ଼ୁଛି।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଦଳର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଛି। ଏହା ପୂର୍ବରୁ ଦଳର ଅଧ୍ୟକ୍ଷ ପଦ ଲାଗି ଅଦ୍ୟାବଧି ୧୯୩୯, ୧୯୫୦, ୧୯୭୭, ୧୯୯୭ ଏବଂ ୨୦୦୦ରେ ନିର୍ବାଚନ ହୋଇଥିଲା। ତେବେ ଦୀର୍ଘ ୨୨ ବର୍ଷ ପରେ ପୁଣିଥରେ ଏହି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଥିବା ସୂଚନା ମିଳିଛି।

Related Posts