ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆଶ୍ଵସ୍ତି; ୨ଟି ମାମଲାରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି । ବର୍ଷାଙ୍କ ବିରୋଧରେ ହୋଇଥିବା ୨ଟି ମାମଲାରେ ସତ୍ୟତା ନଥିବା ଦର୍ଶାଇ ଆଗକୁ ଆଉ ଏହାର ଶୁଣାଣି ହେବ ନାହିଁ ବୋଲି କହିଛନ୍ତି କୋର୍ଟ । ଏହି ଆଦେଶ ପରେ ବର୍ଷାଙ୍କ ନାଁରେ ହୋଇଥିବା ଦୁଇଟି ମାମଲାରେ ପୂର୍ଣ୍ଣଛେଦ ପଡ଼ିଛି।

କୋର୍ଟଙ୍କ ଏହି ରାୟ ଆସିବା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ବର୍ଷା କହିଛନ୍ତି, ମୋ ନାଁରେ ଯେତେ ସବୁ ମିଥ୍ୟା ଅଭିଯୋଗ ଆଣି ମୋତେ ବଦନାମ କରିବା ପାଇଁ ଚେଷ୍ଟା କାରାଯାଉଥିଲା ସେ ସବୁର ଅନ୍ତ ଘଟିଛି । ହାଇକୋର୍ଟଙ୍କ ରାୟ ପରେ ଏହାର ପୂର୍ଣ୍ଣଛେଦ ପଡିଛି । ନିଜର ସ୍ୱାର୍ଥ ସାଧନ ପାଇଁ ଗରିବ ଲୋକମାନଙ୍କୁ ହୀନ ଉଦ୍ଦେଶ୍ୟରେ ମୋ ବିରୋଧରେ ବ୍ୟବହାର କରାଯାଉଥିଲା । ଏପରି ହୀନ ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ର ଅତ୍ୟନ୍ତ ଲଜ୍ଜାଜନକ । ମୋ ସହ ଯାହା ହେଲା ଆଉ କାହା ସହ ନ ହେଉ ବୋଲି ସେ କହିଛନ୍ତି । ବର୍ଷା ତାଙ୍କ ଇନଷ୍ଟା ପେଜରେ ଲେଖିଛନ୍ତି, ୨୦୨୦ରୁ ମୋତେ ଦାବି ଦେବାକୁ ଚେଷ୍ଟା କରାଯାଉଥିଲା । କିଛି ଦିନ ତଳେ ମୋ ସହ ମୋ ପରିବାରକୁ ସାମିଲ କରି ଆମ ବିରୋଧରେ ଷଡଯନ୍ତ୍ର କରି ସଙ୍ଗୀନ ଅଭିଯୋଗ ଅଣାଗଲା । ଯିଏ ଯାହା କଲେ, ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଲେ ବି ମୁଁ ଭାଙ୍ଗି ପଡିବି ନାହିଁ ବୋଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜଧାନୀ ସ୍ଥିତ ସହୀଦନଗର ଏବଂ ଚନ୍ଦ୍ରଶେଖରପୁର ଥାନାରେ ବର୍ଷାଙ୍କ ନାଁରେ ଦୁଇଟି ଏତଲା ହୋଇଥିଲା । ଗୋଟିଏ ସହିଦନଗର ଥାନାରେ ବର୍ଷାଙ୍କ ନାଁରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ଓ ଅନ୍ୟଟି ଚନ୍ଦ୍ରଶେଖରପୁର ଥାନାରେ ଜାତିଆଣ ଆକ୍ଷେପ ନେଇ ଅଭିଯୋଗ । ଏହି ୨ଟି ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ । ଏହି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରି ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ଅଭିଯୋଗର ସତ୍ୟାସତ୍ୟ ଯାଂଚ କରି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଦୁଇଟିଯାକ ଏତଲା ପରୋକ୍ଷ ଇଙ୍ଗିତରେ ହୋଇଥିବା ଭୁବନେଶ୍ୱର ଡିସିପି ହାଇକୋର୍ଟକୁ ଜଣାଇବା ଏହାପରେ କୋର୍ଟ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

Related Posts