ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ କ୍ରାଇମବ୍ରାଞ୍ଚକୁ ସାହାଯ୍ୟ କରିବ ଆମେରିକା ଗୁଇନ୍ଦା ସଂସ୍ଥା ଏଫ.ବି.ଆଇ

ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ଦିନରେ ଗୃହ ଆରମ୍ଭରୁ ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ନେଇ ଗୃହରେ ଜୋରଦାର ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଫଳରେ ଗୃହକୁ ପ୍ରଥମେ ଦିନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ କରିଥିଲର ବାଚସ୍ପତି। ୧୧.୩୦ରେ ଗୃହକାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇଥିବାବେଳେ ପୁଣି ବିରୋଧୀ ହୋହାଲ୍ଲା କରିଥିଲେ। ତେବେ ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଗୃହରେ କହିଛନ୍ତି ଯେ, ଗତ ଜାନୁଆରୀ ୨୯ ତାରିଖରେ ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ପୋଲିସ ଏଏସଆଇ ନିଜ ସର୍ଭିସ ରିଭଲବରରୁ ଗୁଳି କରି ହତ୍ୟା କରିଥିଲେ। ସମସ୍ତ ଚେଷ୍ଟା ସତ୍ୱେ ଆମେ ତାଙ୍କୁ ବଞ୍ଚାଇ ପାରିନଥିଲୁ। ତେବେ ଏହା ଏକ ଅତି ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତୁରନ୍ତ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ଏହାପରେ ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଜଣେ ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କ ତତ୍ୱାବଧାନରେ ଏବେ ତଦନ୍ତ ଜାରି ରହିଛି। ଏହାରି ମଧ୍ୟରେ ଅଭିଯୁକ୍ତକୁ ଗୁଜରାଟର ଗାନ୍ଧିନଗର ସ୍ଥିତ ଫରେନସିକ ଲାବୋରେଟରୀକୁ ନେଇ ତାର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାସହିତ ତଦନ୍ତ ନେଇ ଏକ ବଡ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ହତ୍ୟାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଆମେରିକାର ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ ଇନଭେସ୍ଟିଗେସନ (ଏଫବିଆଇ)ର ସହାୟତା ମାଗିଛି । ଏନେଇ ସହଯୋଗ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି । ଏଫବିଆଇ ବିହେଭିୟୋରାଲ ସପୋର୍ଟ ୟୁନିଟ ସହ ଯୋଗସୂତ୍ର ପାଇଁ ଅନୁରୋଧ କରିଛୁ । ତଦନ୍ତର କୌଣସି ଦିଗକୁ ବି ଛଡ଼ା ଯାଉନଥିବା ମୁଖ୍ୟମନ୍ତ୍ରୀ ନିଜ ବିବୃତିରେ କହିଛନ୍ତି । ଏଥିସହ ଏହି ଘଟଣାର ରାଜନୀତିକରଣ ନକରିବାକୁ ସେ ବିରୋଧୀଙ୍କୁ ଅପିଲ କରିଛନ୍ତି ।

Related Posts