ଆକାଶରେ ନୂଆ ଜହ୍ନ

ମହାକାଶରେ ମହାଜହ୍ନ

ମହାକାଶରେ ମହାବିସ୍ମୟ । ମହାକାଶରେ ବୁଲୁଛି ମହାଜହ୍ନ । ଯାହା ଆମ ଜହ୍ନ ମାମୁଁଠାରୁ ଦୁଇଗୁଣା ବଡ଼ ଦିଶୁଛି । ଏହାର ଆକାର ଏତେ ବଡ଼ ଯେ ଏହାକୁ ସୁପରମୁନ୍‌ ବୋଲି କୁହାଯାଇପାରିବ । କିନ୍ତୁ ଆମ ସୌରମଣ୍ଡଳରେ ନୁହେଁ, ସୌରମଣ୍ଡଳ ବାହାରେ ମିଳିଛି ଏହି ବିଶାଳ ଚନ୍ଦ୍ର । ଆମ ପୃଥିବୀଠାରୁ ପ୍ରାୟ 8000 ଆଲୋକବର୍ଷ ଦୂରରେ ରହିଛି ଏହି ଜହ୍ନ । ଏହା ପ୍ରାୟ ଆମ ସୌରମଣ୍ଡଳର ନେପ୍‌ଚ୍ୟୁନ୍‌ ଗ୍ରହ ଭଳି । ଏହାର ଓଜନ ଓ ଆକାର ନେପ୍‌ଚ୍ୟୁନ୍‌ ସହ ଅନେକ ସାମଞ୍ଜସ୍ୟ ରଖୁଛି । କଲମ୍ବିଆ ବିଶ୍ବବିଦ୍ୟାଳୟର ଦୁଇ ବୈଜ୍ଞାନିକ ଆଲେକ୍ସ ଟିଚେରି ଓ ଡେଭିଡ୍‌ କିପିଙ୍ଗ୍‌ଙ୍କୁ ମିଳିଛି ଏହି ବିରଳ ସଫଳତା । ନାସାର ହବ୍‌ଲସ ଟେଲିସ୍କୋପ୍‌ ଓ କେପଲର ସ୍ପେଶ୍‌ ଟେଲିସ୍କୋପ୍‌ ଦ୍ବାରା ଠାବ ହୋଇଛି ଏହି ପ୍ରାକୃତିକ ଉପଗ୍ରହ । ଆବିଷ୍କାରକାରୀ ଦଳର ସଦସ୍ୟ କଲମ୍ବିଆ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡେଭିଡ୍‌ କିପିଙ୍ଗ୍‌ କହିଛନ୍ତି, ହବଲ୍‌ ପରୀକ୍ଷଣ ଦ୍ବାରା ଏହାକୁ ଠାବ କରାଯାଇଛି । ଏହା ଦ୍ବାରା ସୌରମଣ୍ଡଳ ଓ ସେଥିରେ ଉପଗ୍ରହର ଉତ୍ପତ୍ତି ସଂପର୍କରେ ବହୁ ତଥ୍ୟ ମିଳିପାରିବ ।

ପୃଥିବୀଠାରୁ 8000 ଆଲୋକବର୍ଷ ଦୂରରେ ନୂଆ ଜହ୍ନ
ନେପଚ୍ୟୁନ୍‌ ଗ୍ରହ ଭଳି ଏହି ଉପଗ୍ରହ
ନିଜ ଗ୍ରହ ଚାରିପଟେ ପରିକ୍ରମା ସମୟ 30 ଦିନରୁ ଅଧିକ
ଏହାର ଗ୍ରହର ନାମ କେପଲର୍‌ 1625 B

ଖଗୋଳୀୟ ପିଣ୍ଡ 284 କେପଲର୍‌ରୁ ମିଳୁଥିବା ତଥ୍ୟର ଅନୁଧ୍ୟାନ କରି ବୈଜ୍ଞାନିକମାନେ ଜାଣିପାରିଛନ୍ତି, ଏହାର ପରିକ୍ରମା ସମୟ 30 ଦିନରୁ ଅଧିକ । ଅନେକ ଦୂରରୁ ଆସୁଥିବା ଏହି ଜହ୍ନର ଆଲୋକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଫିକା ପଡୁଛି । ଅର୍ଥାତ୍‌ ଏହା ନିର୍ଦ୍ଦିଷ୍ଟ ବ୍ୟବଧାନରେ ନିଜ ତାରକା ଓ ଗ୍ରହ ଚାରିପାଖେ ବୁଲୁଛି । ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି ଯେ ଏହି ଜହ୍ନର ଗ୍ରହର ନାମ କେପଲର୍‌ 1625ବି । ଏହା ଏକ ଉତ୍ତପ୍ତ ଗ୍ୟାସୀୟ ପିଣ୍ଡ ଥିବା ଗ୍ରହ । ଏହି ଗ୍ରହର ଆକାର ନେପ୍‌ଚ୍ୟୁନ ଠାରୁ ଢେର ବଡ଼ । ଏହି ଗ୍ରହକୁ ଦୀର୍ଘ 40 ଘଣ୍ଟା ଧରି କେପଲରକୁ ନିରନ୍ତର ନୀରିକ୍ଷଣ କରିବା ପରେ ଜଣାପଡ଼ିଛି ନୂଆ ଜହ୍ନଟି କେପଲର ଚାରିପାଖରେ ବୁଲୁଛି । ବୌଜ୍ଞାନିକଙ୍କ କହିବା କଥା ନିଜ ଗ୍ରହର ଗୋଟିଏ ପାଖକୁ ଏହା ଅତିକ୍ରମ କରିବାକୁ ଏହା 19 ଘଣ୍ଟାରୁ ଅଧିକ ସମୟ ନେଉଛି । ତେବେ ଏହାର ଗ୍ରହଟି ନିଜ କକ୍ଷ ପଥରୁ ସାମାନ୍ୟ ସ୍ଥାନ ବଦଳାଉଛି । ତେବେ ଉଭୟ ଜହ୍ନ ଓ ଏହାର ଗ୍ରହ ଏକ ନିର୍ଦ୍ଦିଷ୍ଟ ମାଧ୍ୟାକର୍ଷଣ କେନ୍ଦ୍ର ଚାରିପାଖରେ ବୁଲୁଛନ୍ତି । ଏହି ଗ୍ରହ ଓ ଉପଗ୍ରହ ଯେଭଳି ଦିଶୁଛି, ମହାକାଶରୁ ଆମ ସୌରମଣ୍ଡଳରେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ରକୁ ଦେଖିଲେ ସେଭଳି ହିଁ ଲାଗିବ ।

ଏ ନେଇ ଜର୍ଣ୍ଣାଲ ଅଫ୍‌ ସାଇନ୍‌ସ ଆଡ୍‌ଭାନ୍‌ସେସ୍‌ରେ ପ୍ରକାଶ ପାଇଛି ରିପୋର୍ଟ । କୁହାଯାଇଛି ଏ ଧରଣର ଜହ୍ନ ବିରଳ । ଆମ ସୌରମଣ୍ଡଳରେ ଅଛନ୍ତି, 200ରୁ ଅଧିକ ପ୍ରାକୃତିକ ଉପଗ୍ରହ । ଏସବୁ ସୌରମଣ୍ଡଳ ବିଭିନ୍ନ ଗ୍ରହ ଚାରିପଟେ ବୁଲୁଛନ୍ତି । ତାହା ଭିତରୁ ଆମ ପୃଥିବୀର ଜହ୍ନ ଗୋଟିଏ । କିନ୍ତୁ ନୂଆକରି ଆବିଷ୍କାର ହୋଇଥିବା ଜହ୍ନ ଭଳି ଆମ ସୌରମଣ୍ଡଳରେ କୌଣସି ଉପଗ୍ରହ ଏଯାଏଁ ଦେଖିବାକୁ ମିଳିନାହିଁ । ଗତ ପ୍ରାୟ ତିନି ଦଶକ ଧରି ସୌରମଣ୍ଡଳ ବାହାରେ ଗ୍ରହମାନଙ୍କୁ ଠାବ କରାଯିବା ଏକ ନିୟମିତ କଥା ଥିଲା । କିନ୍ତୁ ସୌରମଣ୍ଡଳ ବାହାରେ ଉପଗ୍ରହ ମିଳିବାରେ ମିଳିଛି ପ୍ରଥମ ସଫଳତା ।

Related Posts