ସୁପ୍ରିମକର୍ଟଙ୍କ ବଡ଼ ରାୟ; ଛାଡ଼ପତ୍ର ପରେ ବି ପୂର୍ବସ୍ଵାମୀଙ୍କଠାରୁ ଭରଣପୋଷଣ ଦାବି କରିପାରିବେ ମୁସଲମାନ ମହିଳା

ଭୁବନେଶ୍ୱର,୧୦/୭(ସତ୍ୟପାଠ ବ୍ୟୁରୋ): ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ଛାଡ଼ପତ୍ର ପରେ ବି ଆଇନଗତ ଦୃଷ୍ଟିରୁ ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ସ୍ୱାମୀ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ରକ୍ଷଣାବେକ୍ଷଣ କ୍ଷେତ୍ରରେ ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ରାୟରେ ଦର୍ଶାଇଛନ୍ତି ସର୍ବୋଚ୍ଚ ଅଦାଲତ।

ସୂଚନା ଅନୁସାରେ, ତେଲାଙ୍ଗାନାର ଜଣେ ମୁସଲିମ ମହିଳା ଓ ତାଙ୍କ ସ୍ୱାମୀ ମହମ୍ମଦ ଅବଦୁଲ ମସାଦଙ୍କ ମଧ୍ୟରେ 2017ରେ ଛାଡ଼ପତ୍ର ହୋଇଥିଲା। କିନ୍ତୁ ମହିଳା ଜଣକ CrPCର ଧାରା 125 ଅନୁଯାୟୀ ସ୍ୱାମୀଙ୍କଠୁ ଭରଣ ପୋଷଣ ପାଇଁ ଦାବି କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଅବଦୁଲ ମସାଦ ଏହାକୁ ଚ୍ୟାଲେଞ୍ଜ କରିଥିଲେ। 

ଆଜି ସର୍ବୋଚ୍ଚ ଅଦାଲତର ଜଷ୍ଟିସ ବିଭି ନାଗାରତ୍ନ ଓ ଜଷ୍ଟିସ ଅଗସ୍ତିନ ଗର୍ଗ ମାସିହ ଏହା ଉପରେ ଶୁଣାଣି କରି ଅବଦୁଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। CrPCର ଧାରା 125 ଅନୁସାରେ ଛାଡ଼ପତ୍ର ପରେ ବି ସ୍ୱାମୀ, ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏଥିସହ ଭରଣ ପୋଷଣ ବାବଦକୁ ସ୍ତ୍ରୀକୁ ମାସିକ 20 ହଜାର ଟଙ୍କା ଦେବାକୁ ଅବଦୁଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଏହି ଆବେଦନର ଶୁଣାଣି ସମୟରେ, ଅବଦୁଲଙ୍କ ଓକିଲ ଯୁକ୍ତିବାଢ଼ି କହିଥିଲେ ଯେ, ତଲାକକୁ ନେଇ ସଂରକ୍ଷଣ ଅଧିକାର ଆଇନ, 1986 ଅନୁସାରେ ଜଣେ ମୁସଲିମ ମହିଳା CrPC ଧାରା 125ର ଅଧିକାର ପାଇବା ପାଇଁ ଦାବି କରିପାରିବ ନାହିଁ। ଏମିତିରେ 1986 ଅଧିନିୟମ ମୁସଲିମ ମହିଳାମାନଙ୍କ ପାଇଁ ଅଧିକ ଲାଭଦାୟକ। 

ଏହାକୁ ଖଣ୍ଡନ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ମହିଳାମାନଙ୍କ ଭରଣ ପୋଷଣ କ୍ଷେତ୍ରରେ କୌଣସି ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ। କେବଳ ମୁସଲିମ ମହିଳା ନୁହଁନ୍ତି, ସମସ୍ତ ଧର୍ମର ମହିଳା ରକ୍ଷଣାବେକ୍ଷଣର ଅଧିକାର ପାଇଛନ୍ତି। ଧାରା 125 ଅନୁଯାୟୀ ସମସ୍ତ ଧର୍ମର ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ରକ୍ଷଣାବେକ୍ଷଣ ମାମଲା ଦାୟର କରିପାରିବେ। ଧର୍ମ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ।

ଜଷ୍ଟିସ ନାଗାରତ୍ନ ମଧ୍ୟ ଏହି ରାୟ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟ ଆସିଛି, ଭାରତୀୟ ପୁରୁଷମାନେ ନିଜ ପତ୍ନୀଙ୍କ ତ୍ୟାଗକୁ ଚିହ୍ନିବା ଉଚିତ୍। ନିଜର ଆକାଉଣ୍ଟ ସହ ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିବା ଉଚିତ୍ ବୋଲି ଜଷ୍ଟିସ ନାଗାରତ୍ନ ପରାମର୍ଶ ଦେଇଛନ୍ତି।

Related Posts