ଭୟଙ୍କର ‘ଜିକା’ ଭାଇରସ୍‌

ରାଜସ୍ଥାନରେ ଭୟଙ୍କର ହେଉଛି ମାରାତ୍ମକ ଜିକା ସଂକ୍ରମଣ । ୨୯ ଜଣ ଲୋକଙ୍କ ଦେହରେ ଚିହ୍ନଟ ହୋଇଛି ଏହି ମାରାତ୍ମକ ଭାଇରସ୍‌ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ମନ୍ତ୍ରାଳୟର ସ୍ବତନ୍ତ୍ର ଟିମ୍ ରାଜସ୍ଥାନ ଯାଇ ସ୍ଥିତିର ସମୀକ୍ଷା କରିବା । ୪୫୦ରୁ ଅଧିକ ଭାଇରସର ନମୁନା ପରୀକ୍ଷା ପାଇଁ ପୁନେ ସ୍ଥିତ ଲ୍ୟାବକୁ ପଠାଯାଇଛି । ଜିକା ଭାଇରସ୍‌ ବ୍ୟାପୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି । ବିହାରରେ ମଧ୍ୟ ଜିକା ଭାଇରସ ନେଇ ଜାରି ହୋଇଛି ଆଲର୍ଟ । ସେପଟେ ବିହାରରେ ମଧ୍ୟ ଜିକା ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି । ପ୍ରଭାବିତ ଅଞ୍ଚଳର ଗର୍ଭବତୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଉଛି । ଜିକା ସଂକ୍ରମଣ ଫଳରେ ଗର୍ଭସ୍ଥ ଭ୍ରୁଣ ଆକ୍ରାନ୍ତ ହୋଇଥାଏ ଓ ଶିଶୁ ରୋଗାକ୍ରାନ୍ତ ହୋଇ ଜନ୍ମ ନିଏ । ଜିକା ଭାଇରସ୍ ଏଡିସ୍‌, ଏଜିପ୍ଟ ଓ ଅନ୍ୟ ମଶାଙ୍କଠାରୁ ବ୍ୟାପୀ ଥାଏ । ଏହି ମଶାଗୁଡ଼ିକ ଚିକନଗୁନିଆ ଓ ଡେଙ୍ଗୁର ମଧ୍ୟ କାରଣ ହୋଇଥାନ୍ତି । ଜିକା ଭାଇରସ୍‌ର ଶିକାର ହୋଇଥିବା ଲୋକଙ୍କୁ ଜ୍ବର ହୁଏ । ଗଣ୍ଠିରେ ଯନ୍ତ୍ରଣା ହୁଏ । ଶରୀରରେ ଲାଲ୍ ଦାଗ ପଡ଼ିଯାଏ । ଥକା ଲାଗେ । ମୁଣ୍ଡ ବିନ୍ଧେ । ଆଖି ଲାଲ୍ ହୋଇଯାଏ । ଏହାର ପ୍ରଭାବରେ ଜନ୍ମ ହେଉଥିବା ଶିଶୁର ଆକାର ଛୋଟ ହୋଇଥାଏ । ପୁଣି ସେମାନେ ଅବିକଶିତ ମସ୍ତିଷ୍କ ସହିତ ଜନ୍ମ ହୁଅନ୍ତି । ଏହା ସହ ଜିକା ଭାଇରସ ଶରୀରର ନର୍ଭ ସିଷ୍ଟମ୍‌କୁ ମଧ୍ୟ ଆକ୍ରାନ୍ତ କରେ । ଫଳରେ ଲୋକେ ପକ୍ଷାଘାତର ଶିକାର ହୁଅନ୍ତି । ୧୯୪୭ ମସିହାରେ ପ୍ରଥମ ଥର ପାଇଁ ଜିକା ଭାଇରସ୍‌ର ଚିହ୍ନଟ ହୋଇଥିଲା । ୨୦୧୫ରେ ବ୍ରାଜିଲରେ ଏହି ରୋଗ ବ୍ୟାପକ ହେବା ପରେ ଫେବ୍ରୁଆରି ୨୦୧୬ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଆନ୍ତର୍ଜାତିକ ଏମର୍ଜେନ୍‌ସି ଘୋଷଣା କରିଥିଲା । ଏପରିକି ବ୍ରାଜିଲର ସ୍ବାସ୍ଥ୍ୟ କର୍ମୀମାନେ ୨୦୧୫ରେ ଗର୍ଭାଧାରଣ ନ କରିବା ନିମନ୍ତେ ମଧ୍ୟ ଆଡଭାଇଜରି ଜାରି କରିଥିଲେ ।

Related Posts