ବସ୍ତି ହୋଟେଲ୍‌;ରାତିକୁ ଭଡ଼ା 2280 ଟଙ୍କା

ବସ୍ତିରେ ରହିବାର ଅନୁଭୂତି ନେବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏବେ ଖୋଲିଛି ବସ୍ତି ହୋଟେଲ୍‌ । ଭାରତର ବସ୍ତି ଜୀବନକୁ ନେଇ ଦେଶ ବିଦେଶରେ ଚର୍ଚ୍ଚା ହେଉଥିବାବେଳେ ଲୋକଙ୍କୁ ବସ୍ତି ଜୀବନର ଅନୁଭୂତି ନେବାକୁ ଚାହୁଁଥିବା ଲୋକଙ୍କ ରହିବା ପାଇଁ ଏଠି କରାଯାଇଛି ବ୍ୟବସ୍ଥା ।
ବସ୍ତି । ଏହି ନାଁ ଶୁଣିଲେ ମନରେ ଆସେ ଛୋଟ ଛୋଟ ନୁଆଣିଆ କୁଡ଼ିଆ ଘର, ଅସନା ପରିବେଶ । ଯେଉଁଠି ନ ଥାଏ କିଛି ମୌଳିକ ସୁବିଧା । କିନ୍ତୁ ଆପଣ କଣ କହିବେ, ଯେତେବେଳେ ଜାଣିବେ ଯେ ଥିଲାବାଲା ଲୋକେ ଏବେ ବସ୍ତିରେ ରହିବାକୁ ଚାହୁଁଛନ୍ତି । ଏଥିପାଇଁ ରାତିକୁ ଭଡ଼ା ଆକାରରେ ମୋଟା ଅଙ୍କର ଟଙ୍କା ବି ଗଣୁଛନ୍ତି । ବିଶ୍ବାସ ନ ହେଲେ ବି ସତ । ମୁମ୍ବାଇର ଏକ ସହରତଳି ବସ୍ତିରେ ଏବେ ଖୋଲିଛି ଗୋଟିଏ ସ୍ଲମ୍‌ ହୋଟେଲ୍‌ । ଯେଉଁଠି ରାତି ପିଛା 2280 ଟଙ୍କା ଭଡ଼ାରେ ମିଳୁଛି ବସ୍ତିର କଦାକାର ଚେହେରା ଓ ଚଳଣି ଭିତରେ ଆରାମଦାୟକ ଜୀବନର ଅନୁଭୂତି ।

 

ରାତିକୁ ପାଖାପାଖି 2300 ଟଙ୍କା ଦେଇ ପର୍ଯ୍ୟଟକ ଦାରିଦ୍ର୍ୟକୁ ଅନୁଭବ କରିପାରିବେ
ସ୍ଲମ୍‌ ହୋଟେଲ୍‌ରେ ଅତିଥିମାନେ ଗୋଟିଏ ହୋଷ୍ଟ ଫ୍ୟାମିଲି ସହ ରହିପାରିବେ
ଭାରତର ସବୁଠାରୁ ବଡ଼ ସହରର ସବୁଠାରୁ ଦରିଦ୍ରତମ ସ୍ଥାନରେ ‘ସ୍ଲମ୍‌ ହୋଟେଲ୍‌’
ହୋଟେଲ୍‌ର ମାଲିକ ହେଉଛନ୍ତି ରବି ସାନ୍‌ସି
ଘରେ ପର୍ଯ୍ୟଟକ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି
ଟିଭି ଓ ଏସି ବ୍ୟବସ୍ଥା ବି କରାଯାଇଛି
ନେଦରଲାଣ୍ଡସର ଏନ୍‌ଜିଓ କର୍ମୀ ଡେଭିଡ୍‌ ବିଜିଲ୍‌ ରବିଙ୍କୁ ଦେଇଥିଲେ ହୋଟେଲ୍‌ ଆଇଡିଆ
ଅତିଥିମାନେ ସର୍ବସାଧାରଣ ଶୌଚାଳୟ ବ୍ୟବହାର କରନ୍ତି


ମୁମ୍ବାଇର ଖାରଦଣ୍ଡା ବସ୍ତିରେ ଗତବର୍ଷ ଖୋଲିଛି ‘ସ୍ଲମ୍‌ ହୋଟେଲ୍‌’ । ଯାହାର ମାଲିକ ହେଉଛନ୍ତି ସେହି ବସ୍ତିର ବାସିନ୍ଦା ଜଣେ ବ୍ୟକ୍ତି, ତାଙ୍କ ନାଁ ରବି ସାନ୍ସୀ । ରବି ବସ୍ତିରେ ଥିବା ତାଙ୍କ ଘରକୁ ଆଧୁନିକ ଢଙ୍ଗରେ ସଜାଇଛନ୍ତି । ଏଥିରେ ଲଗାଇଛନ୍ତି ଏସି ଓ ଟିଭି । କାନ୍ଥକୁ ଭଲ ଭାବେ ରଙ୍ଗ କରିଛନ୍ତି ଆଉ ଆରାମଦାୟକ ବିଛଣା ବ୍ୟବସ୍ଥା କରିଛନ୍ତି । ଏହାର ଫଟୋ ସେ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି । ଯେଉଁଠି ରାତି ପିଛା 2280 ଟଙ୍କା ଭଡ଼ାରେ ମିଳୁଛି ବସ୍ତିର କଦାକାର ଚେହେରା ଓ ଚଳଣି ଭିତରେ ଆରାମଦାୟକ ଜୀବନର ଅନୁଭୂତି । ଏଠି ମିଳେ ଦାରିଦ୍ର୍ୟକୁ ଅନୁଭବ କରିବାକୁ ସୁଯୋଗ । ଯେଉଁମାନେ କେବେ ବି ବସ୍ତିର ମାଟି ମାଡ଼ନ୍ତି ନାହିଁ ବା ବସ୍ତିକୁ ଦେଖିଲେ ନାକ ଟେକନ୍ତି ସେମାନେ ସ୍ଲମ୍‌ ହୋଟେଲ୍‌କୁ ଆସି ଆରାମରେ ରାତି କଟାଉଛନ୍ତି । ଏହି ହୋଟେଲ୍‌ରେ ରହିବାକୁ ଆସୁଥିବା ଅତିଥିମାନେ ଅନ୍ୟ ବସ୍ତି ବାସିନ୍ଦାଙ୍କ ଭଳି ପବ୍ଲିକ୍‌ ଟଏଲେଟ୍‌ ବା ସର୍ବସାଧାରଣ ଶୌଚାଳୟ ବ୍ୟବହାର କରନ୍ତି । ଲୋକଙ୍କ ସହ ମିଶନ୍ତି, ସେମାନଙ୍କ ବାବଦରେ ଜାଣନ୍ତି । ରବିଙ୍କୁ ଏଭଳି କରିବାକୁ ବୁଦ୍ଧି ଦେଇଛନ୍ତି ଜଣେ ସ୍ବେଚ୍ଛାସେବୀ ତଥା ନେଦରଲାଣ୍ଡ୍‌ସର ନାଗରିକ ଡେଭିଡ୍‌ ବିଜିଲ୍‌ । ଏହା ମାଧ୍ୟମରେ ରବିଙ୍କୁ ସେ ଅଧିକ ରୋଜଗାରର ରାସ୍ତା ଦେଖାଇବା ସହ ଦୁଇ ବର୍ଗର ଲୋକଙ୍କୁ ଏକାଠି ହେବାର ଉଦ୍ୟମ କରିଛନ୍ତି । ବସ୍ତି ହୋଟେଲ୍‌ ପଦକ୍ଷେପ ଦ୍ବାରା ରବି ଓ ଡେଭିଡ୍‌ଙ୍କ ପ୍ରୟାସ ଅନେକାଂଶରେ ସଫଳ ହୋଇଥିବାବେଳେ ସମାଲୋଚକ କିନ୍ତୁ ଭିନ୍ନ ସ୍ବରରେ ପ୍ରତିକ୍ରିୟା ଦେଉଛନ୍ତି, ସେମାନଙ୍କ ମତରେ ଏହା ହେଉଛି ଚିଡ଼ିଆଖାନାର ଜୀବନ, ପଭର୍ଟି ପର୍ଣ୍ଣ ବା ଦାରିଦ୍ର୍ୟର ଅଶ୍ଲୀଳ ଖେଳ । ଏଠାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଓ ରହଣିକୁ ନେଇ କଟୁ କଥା କହୁଛନ୍ତି ଲୋକେ । ଯେହେତୁ ଏହା ଭାରତର ଏକ ଅନ୍ଧକାର ଦିଗକୁ ଦେଖାଉଛି । କିନ୍ତୁ ଡେଭିଡ୍‌ ନିଶ୍ଚିତ ଯେ ବସ୍ତି ହୋଟେଲ୍‌, ଭାରତର ବସ୍ତିକୁ ନେଇ ଥିବା ଖରାପ ଭାବନାକୁ ଦୂର କରିପାରିବ । ଏହା ଭାରତୀୟ ବସ୍ତିକୁ ନେଇ ବିଦେଶରେ ଥିବା କଳ୍ପନାର ପରିବର୍ତ୍ତନ ପାଇଁ ପ୍ରୟାସର ଭିନ୍ନ ବାର୍ତ୍ତାବହ ସାଜିଛି ।

Related Posts