ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବାଣିଜ୍ୟ କର ଓ ଜିଏସଟି, କଟକର ଅତିରିକ୍ତ କମିଶନର ପିୟୁଷ ପାଣି । ଯିଏ ଅନ୍ୟକୁ ବାନ୍ଧୁଥିଲା ଆଜି ସିଏ ନିଜେ ଛନ୍ଦି ହୋଇପଡିଛି । ତାଙ୍କର ଅମାପ ସମ୍ପତ୍ତି ଠାବ ହୋଇଛି । ତାଙ୍କର ମାଳ ମାଳ କୋଠା ଓ ଜମି ଥିବା ଚଢ଼ାଉ ସମୟରେ ଜଣାଯାଇଛି। ଏହି କୁବେର ଅଧିକାରୀଜଣକ ହେଉଛନ୍ତି ବାଣିଜ୍ୟ କର ଓ ଜିଏସଟି, କଟକର ଅତିରିକ୍ତ କମିଶନର ପିୟୁଷ ପାଣି । ଏହି ଚଢ଼ାଉରେ ୫ ଜଣ ଡିଏସ୍‌ପି, ୧୧ ଇନ୍ସପେକ୍ଟର, ଓ ଏକାଧିକ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି ।

ପୀୟୂଷ ପାଣିଙ୍କ ଯାଜପୁର ଜିଲ୍ଲା ବ୍ୟାସନଗରସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । ବ୍ୟାସନଗର ଘରେ ଚାଲିଥିବା ଚଢାଉରେ ଜଣେ ଡିଏସପି ଓ ୩ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି
ପିୟୁଷ ପାଣିଙ୍କ ଭୁବନେଶ୍ୱର ଚକେଇଶାଣୀସ୍ଥିତ ଘର ।

ଚଢାଉ ବେଳେ ଭୁବନେଶ୍ୱର ଚକେଇସିଆଣିରେ ତାଙ୍କର ଏକ ୩ ମହଲା ବିଶିଷ୍ଟ କୋଠା, ଯାଜପୁରରେ ୩ଟି ୩ ମହଲା କୋଠା ଓ ଗୋଟିଏ ଘର ଠାବ ହୋଇଛି । ଏହାବାଦ ଭୁବନେଶ୍ୱର ଅନ୍ଧାରୁଆ ମୌଜାରେ ତାଙ୍କ ନାଁରେ ୬ରୁ ଅଧିକ ପ୍ଲଟ ଠାବ ହୋଇଛି। ସେଥିମଧ୍ୟରୁ ଏକାଧିକ ପ୍ଲଟରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାଯାଇଛି। ଭୁବନେଶ୍ୱର ସାମପୁର, ସୁନ୍ଦରପୁର ମୌଜାରେ ନିର୍ମାଣାଧିନ ପ୍ଲଟ ଠାବ ହୋଇଛି ।

ଏହାବାଦ ଘରେ ଚଢ଼ାଉ ବେଳେ କେତେ ନଗଦ ଟଙ୍କା ଓ ଅଳଙ୍କାର ଜବତ ହୋଇଛି, କେତେ ଟଙ୍କା ମୂଲ୍ୟର ବଣ୍ଡ ମିଳିଛି ସେ ନେଇ କିଛି ସୂଚନା ମିଳିନି। ଏନେଇ ଭିଜିଲାନ୍ସ ତରଫରୁ କିଛି ସୂଚନା ଦିଆଯାଇନି ।