ଜିଲ୍ଲା ପରିଷଦ ସଭ୍ୟ ଆତ୍ମହତ୍ୟା ଘଟଣା; ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ସିସିଟିଭି ହାର୍ଡଡିସ୍କକୁ ଫରେନସିକ ଯାଞ୍ଚ ପାଇଁ ପଠାଇଲା ପୋଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଜିଲ୍ଲା ନିମାପଡ଼ାର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ଜାରି ରହିଛି । ବର୍ତ୍ତମାନ ତଦନ୍ତରେ ଆଉ ପାଦେ ଆଗେଇଛି ପୋଲିସ । ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭିର ହାର୍ଡଡିସ୍କକୁ ଫରେନସିକ ଯାଞ୍ଚ ପାଇଁ ପଠାଇଲା ପୋଲିସ ।

ଖବର ଅନୁଯାୟୀ, ମୃତ ଧର୍ମେନ୍ଦ୍ରଙ୍କ ହାତଘଣ୍ଟା ସହ ମୋବାଇଲ ଓ ସିସିଟିଭିର ଲିଙ୍କ ଥିଲା । ଘଣ୍ଟାରୁ କାହାକୁ ମେସେଜ କରିଛନ୍ତି କି ନାହିଁ ଜାଣିବା ପାଇଁ ଘଣ୍ଟା ଯାଞ୍ଚ ହେବ । ଏହାବ୍ୟତୀତ ଘରର ସବୁ ସିସିଟିଭି କ୍ୟାମେରାକୁ ନିଜର ଘଣ୍ଟା ଜରିଆରେ ଅପରେଟ କରୁଥିଲେ ଧର୍ମେନ୍ଦ୍ର। ତେଣୁ ସେ ସବୁକୁ ମଧ୍ୟ ଯାଞ୍ଚ କରିବ ପୋଲିସ । ଏହାସହିତ ମଙ୍ଗଳବାର ଧର୍ମେନ୍ଦ୍ରଙ୍କ ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୋଲିସ ।

ଅନ୍ୟପଟେ ସୋମବାର ପରିବାର ଲୋକଙ୍କୁ ପଚରାଉଚରା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଧର୍ମେନ୍ଦ୍ର ବିଭିନ୍ନ ସମୟରେ ଘରୁ ୬ କୋଟିରୁ ଅଧିକ ଟଙ୍କା ନେଇଥିଲେ । ଏପିରିକି ଖୋର୍ଦ୍ଧାରେ ଥିବା ୨କୋଟି ଟଙ୍କାର ଏକ କ୍ରସରକୁ ମଧ୍ୟ ସେ ବିକି ଦେଇଥିଲେ । ତେବେ ଧର୍ମେନ୍ଦ୍ରଙ୍କର ହଠାତ୍ ଏତେ ଟଙ୍କା କଣ ପାଇଁ ଦରକାର ହେଲା ଓ ଏହି ଟଙ୍କାର ତାଙ୍କ ମୃତ୍ୟୁ ସହ କିଛି ସମ୍ପର୍କ ରହିଛି କି ନାହିଁ ସେ ଦିଗରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Related Posts