୧୮ ଘଣ୍ଟାର ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ପ୍ରୟାସକାନ୍ତି; କହିଲେ, କିଛି ପଚାରିନାହାନ୍ତି

 ଭୁବନେଶ୍ୱର,୦୬/୩(ସତ୍ୟପାଠ ବ୍ୟୁରୋ): ବାରିପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି‌ଙ୍କୁ ରାତି ତମାମ ମାରାଥନ ଜେରା କରିଛି ଇଡି। ୧୮ ଘଣ୍ଟାରୁ ଅଧିକ ସମୟ ଧରି ପ୍ରୟାସକାନ୍ତି‌ଙ୍କୁ ଜେରା କରିଥିଲା ଇଡି। ୧୮ ଘଣ୍ଟାର ଜେରା ପରେ ଭୋର ସାଢ଼େ ୪ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ ପ୍ରୟାସକାନ୍ତି।

ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ବାପା ପ୍ରଫୁଲ୍ଲ ସାମଲଙ୍କ ପରେ ଗତକାଲି ପୁଅ ପ୍ରୟାସକାନ୍ତି ସାମଲଙ୍କୁ ଦିନ ପ୍ରାୟ ୧୦ଟାରୁ ମାରାଥନ ଜେରା ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏଭଳି ଦୀର୍ଘ ସମୟ ଜେରାର ସମ୍ମୁଖୀନ ହୋଇ ଇଡି କାର୍ଯ୍ୟାଳୟରୁ ବାହାରିବା ପରେ, ଗଣମାଧ୍ୟମକୁ ପ୍ରୟାସକାନ୍ତି କହିଛନ୍ତି ଯେ ମୋତେ କିଛି ପଚାରିନାହାନ୍ତି। ପୁଣି ଆପଣମାନଙ୍କ ସହ ଦେଖା ହେବ।

ସୂଚନା ଅନୁସାରେ, ଜବତ ହୋଇଥିବା ମୋବାଇଲରେ ଜମି ଦୁର୍ନୀତିର ଗୁମର ଥିବା ସୁରାକ୍ ପାଇଛି ଇଡି। ସେଥିରେ ଡିଲିଟ ହୋଇଥିବା ତଥ୍ୟ ହାସଲ କରିବାକୁ ଉଦ୍ୟମ କରୁଛି ସାଇବର ଏକ୍ସପର୍ଟ ଟିମ୍। ଇଡିର ୩ଟି ଟିମ ପ୍ରୟାସକାନ୍ତିଙ୍କୁ ଜେରା କରିଥିବା କୁହାଯାଉଛି। କିଛି ଦିନ ତଳେ ପ୍ରଫୁଲ୍ଲଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଏହାପୂର୍ବରୁ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢ଼ାଉ କରିଥିଲା। ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ଚଢ଼ାଉ ବେଳେ ଇଡି ଟିମ୍ ୯ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍‌ ଜବତ କରିଥିଲା। ଉକ୍ତ ଗାଡ଼ିଟି ପ୍ରୟାସକାନ୍ତି ଚଲାଉଥିବା ବେଳେ ତାହା ତୃଷ୍ଣା ସ୍କାଏ ସ୍କ୍ରାପର ଲିମିଟେଡ ନାମକ ବିଲଡର ସଂସ୍ଥା ନାଁରେ ଥିବା ସୂଚନା ମିଳିଥିଲା।

Related Posts