ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାଖାପାଖି ୩୦ ବର୍ଷରୁ ଉର୍ଦ୍ଧ ସମୟ ପରେ କଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍। ଆଜି ପୁଲଓ୍ୱାମା ଓ ସୋପିଆନର ୨ଟି ସିନେମାହଲର ଉଦଘାଟନ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା। ଏହି ୧୦୦ ସିଟ୍ ବିଶିଷ୍ଟ ୨ଟି ସିନେମାହଲ କୁ ସରକାର ପରିଚାଳନା କରିବେ। ଏଗୁଡ଼ିକୁ ଫିଲ୍ମ ସ୍କ୍ରିନିଂ ସହିତ କଶ୍ମୀରର ଯୁବକଯୁବତୀଙ୍କୁ ବିଭିନ୍ନ ପ୍ରଶିକ୍ଷଣଧର୍ମୀ ଭିଡିଓ ଦେଖାଇବାରେ ଏବଂ ସେମାନଙ୍କ ଦକ୍ଷତା ବିକାଶ ପାଇଁ ମଧ୍ୟ ଉପଯୋଗ କରାଯିବ ବୋଲି ସୂଚନା ମିଳିଛି।ଆଜିର ଦିନକୁ କଶ୍ମୀର ପାଇଁ ଐତିହାସିକ ବୋଲି କହିଛନ୍ତି ଉପରାଜ୍ୟପାଳ। ଏଥିସହ ସେ ସିନେମା ହଲରେ ଭାଗ୍ ମିଲ୍ଖା ଭାଗ୍ ଫିଲ୍ମ ଦେଖୁଥିବା ଭିଡିଓ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି।
ଅନ୍ୟପକ୍ଷରେ ଆସନ୍ତା ୨୦ ତାରିଖରେ ଶ୍ରୀନଗରରେ ଏକ ଘରୋଇ ମଲ୍ଟିପ୍ଲେକ୍ସ ଖୋଲିବାକୁ ଯାଉଛି। ସେଠାରେ ୩ଟି ସ୍କ୍ରିନ୍ ସହିତ ୫୨୦ ଦର୍ଶକଙ୍କ ଦେଖିବାର ବ୍ୟବସ୍ଥା ରହିଛି। ଏହି ମଲ୍ଟିପ୍ଲେକ୍ସରେ ପ୍ରଥମେ ଲାଲ୍ ସିଂ ଚଢ଼ା ଫିଲ୍ମ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ,୧୯୯୦ ମସିହା ବେଳକୁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରୁ ମାଲିକମାନେ ସିନେମାହଲ୍ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ।
