
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୀର୍ଘ ମାସ ପରେ ବିଜୁଳି ଆଲୁଅ ଦେଖିଲେ ୫୦ରୁ ଉର୍ଦ୍ଧ୍ୱ ଲୋଧା ପରିବାର । ଦୀର୍ଘ ଦିନ ଧରି ସମ୍ପୃକ୍ତ ପରିବାର ବିଦ୍ୟୁତ ସଂଯୋଗ ପାଇଁ ଦାବି କରିଆସୁଥିଲେ । ହେଲେ ଏନେଇ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ହେଲେ ଏନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିବାର ଦେଖିବାକୁ ମିଳିଛି । ମୋରଡ଼ା ବ୍ଲକ୍ ଅଧୀନ ହଳଦୀପାଳ ପଞ୍ଚାୟତ ସମାଇଡ଼ିହିରେ ତୁରନ୍ତ ବିଦ୍ୟୁତ୍ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଲେ ବିଭାଗୀୟ ଯନ୍ତ୍ରୀ। ସେପଟେ ଉକ୍ତ ଗ୍ରାମରେ ରହୁଥିବା ଆଦିମ ଜନଜାତି ଲୋଧା ସମ୍ପ୍ରଦାୟର ୫୦ରୁ ଊର୍ଦ୍ଧ୍ବ ପରିବାର ଦୀର୍ଘ ଦିନରୁ ଅନ୍ଧାରରେ ରହିଥିଲେ। କାରଣ ଏଠାକୁ ବିଦ୍ୟୁତ୍ ସଂଯୋଗ ହେବାର କିଛି ଦିନ ପରେ ଦୁର୍ବୃତ୍ତମାନେ ଖୁଣ୍ଟରୁ ବିଦ୍ୟୁତ ତାର ଚୋରି କରି ନେଇଥିଲେ।
ହେଲେ ବାରମ୍ବାର ଅଭିଯୋଗ ପରେ ବି ଆଉ ତାର ଟାଣୁନଥିଲା ବିଦ୍ୟୁତ୍ ବିଭାଗ। ଏନେଇ ଖବର ପ୍ରକାଶ ପାଇବା ପରେ ଉକ୍ତ ପଞ୍ଚାୟତରେ ଲୋଧା ଉନ୍ନୟନ ସଂସ୍ଥାର ପୋଷଣ ସହାୟକ ଓ ଗ୍ରାମର ଯୁବକ ବିଜୟ ନାଏକ, ପୁନିଆ ପରମାଣିକ ପ୍ରମୁଖ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ସମସ୍ୟା ସମ୍ପର୍କରେ ଜଣାଇଥିଲେ। କନିଷ୍ଠ ଯନ୍ତ୍ରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ତୁରନ୍ତ ଘଟଣାର ଅନୁସନ୍ଧାନ କରିଥିଲେ ଓ ୨୪ ଘଣ୍ଟା ମଧ୍ୟରେ ନୂତନ ତାର ଟଣା ଯାଇଥିଲା। ଆଉ ଆଜି ବିଦ୍ୟୁତ ସଂଯୋଗ କରାଯାଇଥିଲା। ଦୀର୍ଘ ମାସ ପରେ ପୁଣି ଥରେ ବିଦ୍ୟୁତ ଆଲୁଅ ଦେଖି ଲୋଧା ପରିବାରମାନଙ୍କରେ ଖୁସିର ଲହରୀ ଖେଳିଯାଇଛି।