ନ୍ୟୁୟର୍କ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ସ୍ଥାୟୀ ସଦସ୍ୟତା ଲାଗି ବ୍ରିଟେନ ପରେ ଏବେ ଫ୍ରାନ୍ସ ସମର୍ଥନ ଜଣାଇଛନ୍ତି । ଏହି ଦେଶ ଦ୍ୱୟ ଭାରତ ସହିତ ଜର୍ମାନୀ, ଜାପାନ ଓ ବ୍ରାଜିଲର ମଧ୍ୟ ଓକିଲାତି କରିଛନ୍ତି। ସୁରକ୍ଷା ପରିଷଦରେ ସଂସ୍କାର ଓ ୟୁଏନଏସସିଙ୍କ ବାର୍ଷିକ ଅଧିବେଶନକୁ ସମ୍ବୋଧିତ କରି ଫ୍ରାନ୍ସର ଉପ ପ୍ରତିନିଧି ନଥାଲି ବ୍ରଡହର୍ଷ୍ଟ ଏଷ୍ଟିଭଲ କହିଛନ୍ତି ଯେ ଫ୍ରାନସ ସ୍ଥାୟୀ ଆସନ ଲାଗି ସ୍ଥାୟୀ ସଦସ୍ୟ ରୂପେ ଜର୍ମାନ, ବ୍ରାଜିଲ, ଭାରତ ଓ ଜାପାନର ପ୍ରାର୍ଥୀତ୍ୱକୁ ସମର୍ଥନ କରୁଛି।

ସେ କହିଛନ୍ତି ଯେ ଆମେ ପରିଷଦରେ ସ୍ଥାୟୀ ସଦସ୍ୟତା ସହିତ ଆଫ୍ରିକୀୟ ଦେଶମାନଙ୍କରୁ ଅଧିକ ପ୍ରତିନିଧିତ୍ୱ ଲାଗି ଆଶାପୋଷଣ କରୁଛୁ। କାରଣ ଜାତିସଂଘରେ ଭୌଗଳିକ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବାକୁ ହେଲେ ଅନେକ ସିଟ୍ ବିତରଣ କରାଯିବ। ତେବେ ଭିଟୋ ପ୍ରସଙ୍ଗ ସମ୍ବେଦନଶୀଳ ବୋଲି ଏଷ୍ଟିଭଲ କହିଛନ୍ତି। ଏହା ପୂର୍ବରୁ ୟୁଏନଏସସିରେ ଭାରତର ସ୍ଥାୟୀ ସଦସ୍ୟତା ଲାଗି ବ୍ରିଟେନ ସମର୍ଥନ କରିଥିଲା।

ଜାତିସଂଘରେ ବ୍ରିଟେନର ରାଜଦୂତ ବାରବରା ଉଡୱାର୍ଡ ଆମେ ଭାରତ, ଜର୍ମାନୀ, ଜାପାନ ଓ ବ୍ରାଜିଲ ଲାଗି ସ୍ଥାୟୀ ଆସନ ନିର୍ମାଣ ସହିତ ପରିଷଦରେ ସ୍ଥାୟୀ ଆଫ୍ରିକୀୟ ପ୍ରତିନିଧିତ୍ୱର ମଧ୍ୟ ସମର୍ଥନ କରୁଛୁ ବୋଲି କହିଥିଲେ। ଏହା ଛଡା ୟୁକେ ସଦସ୍ୟତାର ଅସ୍ଥାୟୀ ଶ୍ରେଣୀର ବିସ୍ତାରକୁ ମଧ୍ୟ ଆମେ ସମର୍ଥନ କରୁଥିବା ଉଡୱାର୍ଡ କହିଥିଲେ।