ଭୁବନେଶ୍ୱର, ନଭେମ୍ବର ୨୪: ସୁନ୍ଦରଗଡ଼ର ଲାଞ୍ଜିବେର୍ଣ୍ଣା ଖଣି ପ୍ରକଳ୍ପ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନଭେମ୍ବର ୧୮ ତାରିଖର ରାୟ କେବଳ ଡାଲମିଆ ସିମେଣ୍ଟ ପାଇଁ ଏକ ଝଟକା ନୁହେଁ। ଏହା ଓଡ଼ିଶାର ଖଣି ପ୍ରଶାସନ ଓ ଜମି ଅଧିଗ୍ରହଣ ବ୍ୟବସ୍ଥା ପାଇଁ ଏକ ବଡ଼ ସତର୍କବାଣୀ।
୨୭୩.୫୭ ହେକ୍ଟର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ରଦ୍ଦ କରି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଅନୁସୂଚିତ ଅଞ୍ଚଳରେ ଜମି ଅଧିଗ୍ରହଣ ପାଇଁ ଗ୍ରାମସଭାର ପୂର୍ବ ସମ୍ମତି ବାଧ୍ୟତାମୂଳକ।
୨୦୨୦ ଜାନୁଆରୀ ୨୬ରେ ଗ୍ରାମସଭା ଅଧିଗ୍ରହଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ତଥାପି ପ୍ରଶାସନ ଅଧିଗ୍ରହଣ ପ୍ରକ୍ରିୟା ଜାରି ରଖିଥିଲା।
ଗ୍ରାମସଭାର ‘ନା’କୁ ସରକାରଙ୍କ ‘ହଁ’ରେ ବଦଳାଇବାର ଅଧିକାର ପ୍ରଶାସନକୁ କିଏ ଦେଇଥିଲା?
ଲାଞ୍ଜିବେର୍ଣ୍ଣା କ’ଣ ଏକମାତ୍ର ଉଦାହରଣ?
ଓଡ଼ିଶାର ଅନୁସୂଚିତ ଅଞ୍ଚଳରେ ଅନେକ ଖଣି ପ୍ରକଳ୍ପ ରହିଛି। ସିଜିମାଳି, କୁଟ୍ରୁମାଳି ଓ କେନ୍ଦୁଝରର ବଲଦା ଭଳି ଖଣି ପ୍ରକଳ୍ପ ସମ୍ପର୍କରେ ମଧ୍ୟ ସ୍ୱତନ୍ତ୍ର ଯାଞ୍ଚ ହେବା ଆବଶ୍ୟକ।
କେଉଁଠି ଜମି ଅଧିଗ୍ରହଣ ହୋଇଛି, କେଉଁଠି ଜଙ୍ଗଲ ଜମି ହସ୍ତାନ୍ତର ହୋଇଛି ଏବଂ କେଉଁଠି କେବଳ ଖଣି ଲିଜ୍ ଦିଆଯାଇଛି—ତାହାର ପ୍ରକଳ୍ପୱାରୀ ଆଇନଗତ ଯାଞ୍ଚ ହେଉ।
