ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): ଗତକାଲି କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବା ଗୋବିନ୍ଦ ସାହୁଙ୍କ ଶବ ବ୍ୟବଚ୍ଛେଦ ଶେଷ ହୋଇଛି। ତେବେ ଗୋବିନ୍ଦଙ୍କ ମୃତଦେହକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ସଂପର୍କୀୟ ଲୋକେ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ବ୍ୟବଚ୍ଛେଦ ସରିବା ପରେ ମୃତଦେହକୁ ସଂପର୍କୀୟଙ୍କୁ ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ସଂପର୍କୀୟ ଲୋକେ ମୃତଦେହକୁ ନେବେ ନାହିଁ ବୋଲି ମନା କରିଛନ୍ତି ।

ଗୋବିନ୍ଦଙ୍କ ସମ୍ପର୍କୀୟ କହିଛନ୍ତି ଯେ, ଜେଲରେ ଥିବା ସମୟରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହୋଇଛି। ତେଣୁ ମରଶରୀରକୁ ପୋଲିସ ମହାଲିଙ୍ଗକୁ ନେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରୁ । ବଲାଙ୍ଗିର ମେଡିକାଲ କଲେଜରୁ ସେମାନେ ମୃତଦେହ ନେବେ ନାହିଁ । ତେଣୁ ପୁଲିସ ଏବେ ଦ୍ୱନ୍ଦରେ ରହିଛି । ଆଜି ସକାଳେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋବିନ୍ଦ ସାହୁଙ୍କ ଶବ ବ୍ୟବଚ୍ଛେଦ ହୋଇଛି । ପୋଷ୍ଟମର୍ଟମର ଭିଡ଼ିଓଗ୍ରାଫି ମଧ୍ୟ କରାଯାଇଛି । ଗୋବିନ୍ଦଙ୍କ ପରିବାର ଲୋକେ ଆତ୍ମହତ୍ରାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ପରିସ୍ଥିତିରେ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ୟପଟେ ଗୋବିନ୍ଦ ସାହୁଙ୍କ ପକେଟରୁ ଏକ ମାଟିଆ ରଙ୍ଗର ଏନଭଲପ ଜବତ ହୋଇଥିବା ପରିବାର ଲୋକେ କହିଛନ୍ତି । ଆଉ ସେହି ଏନଭଲପରେ ଗୋବିନ୍ଦଙ୍କ ହାତଲେଖା ସୁଇସାଇଡ ନୋଟ ଥିବା ଚର୍ଚ୍ଚା ହେଉଛି । ଆଉ ଗୋବିନ୍ଦ ସାହୁଙ୍କ ମରଶରୀର ପାଖରୁ ଲଫାପା ଜବତ ପରେ ସସପେନ୍ସ ବଢିଛି । ଆଉ ଏଥିରେ କଣ ରହିଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି ।