ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): ପୁଲିସ ଜବତ କରିଥିବା ମମିତା ମେହେରଙ୍କ ପୋଡ଼ା ହାଡ଼ର ଡିଏନ୍ଏ ରିପୋର୍ଟ ତାଙ୍କ ବାପା ସୁଚେନ୍ଦ୍ର ମେହେର ଓ ମା’ ତୁଳସୀ ମେହେରଙ୍କ ଡିଏନ୍ଏ ସହ ମେଳ ଖାଉଛି। ଆଜି ଏନେଇ ଏକ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର।
ସେ କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ କ୍ରାଇମ୍ ରିକ୍ରିଏସନ୍ ବେଳେ ଦେଖାଇଥିବା ସ୍ଥାନରୁ ଦେହାବଶେଷ ବାହାର କରାଯିବା ବେଳେ ପୋଡ଼ା ହାଡ଼କୁ ପରୀକ୍ଷା ନିମନ୍ତେ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲ୍ୟାବ୍ (ଏସ୍ଏଫ୍ଏସ୍ଏଲ)କୁ ପଠାଯାଇଥିଲା। ଏଠାରେ ଦୁଇ ପ୍ରକାର ଟେଷ୍ଟ କରାଯାଇଥାଏ। ଏଥିମଧ୍ୟରୁ ନ୍ୟୁକ୍ଲିୟର ଡିଏନ୍ଏ ପରୀକ୍ଷାରୁ ଏହା ତାଙ୍କ ବାପା ଓ ମା’ଙ୍କ ଡିଏନ୍ଏ ସହ ମେଳ ଖାଇଥିଲା। ଡିଏନ୍ଏ ଟେଷ୍ଟ ବେଳେ ବିଶେଷ ଭାବେ ନ୍ୟୁକ୍ଲିୟର ଡିଏନ୍ଏ ଟେଷ୍ଟ ରିପୋର୍ଟ ଉପରେ ହିଁ ଗୁରୁତ୍ୱ ଦିଆଯାଇଥାଏ। ଏମ୍ଟିଡିଏନ୍ଏ ଟେଷ୍ଟରୁ ମା’ଙ୍କ ଡିଏନ୍ଏ ସହ ପୋଡ଼ା ହାଡ଼ର ଡିଏନ୍ଏ ବହୁତ ମେଳ ଖାଇ ଯାଇଥିଲା।
ମଲଟିକଣ୍ଡୋନିଆଲ ଡିଏନ୍ଏ ପରୀକ୍ଷା ରାଜ୍ୟରେ ହୋଇପାରୁ ନ ଥିବାରୁ ସିଡିଏଫଡି ହାଇଦ୍ରାବାଦ୍କୁ ଯେଉଁ ପୋଡ଼ା ହାଡ ପରୀକ୍ଷା ନିମନ୍ତେ ପଠାଯାଇଥିଲା, ସେଥିରେ କୌଣସି ସ୍ପଷ୍ଟ ଚିତ୍ର ଆସି ନ ଥିଲା। ହାଡ଼ ବହୁତ ପୋଡ଼ି ଯାଇଥିବାରୁ ସିଡିଏଫ୍ଡି ନ୍ୟୁକ୍ଲିୟର ଡିଏନ୍ଏକୁ ବାହାର କରିପାରିଲାନି। ମାତ୍ର ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲ୍ୟାବ୍(ଏସ୍ଏଫ୍ଏସ୍ଏଲ) ଡିଏନ୍ଏ ପରୀକ୍ଷାରେ ରିପୋର୍ଟ ସ୍ପଷ୍ଟ ଆସିଥିବାରୁ ଏଥିରେ ଆଉ କୌଣସି ବିବାଦ ନାହିଁ ବୋଲି ଆଜି କହିଛନ୍ତି।
ଗୋବିନ୍ଦଙ୍କ ପକେଟରୁ ଏକ କାଗଜ ମିଳିଥିବା ବେଳେ ଏଥିରେ କ’ଣ ଲେଖା ଥିଲା ବୋଲି ପଚାରିବାରୁ ଆଜି କହିଥିଲେ, ମାମଲା ଏବେ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର ହୋଇସାରିଛି। ଏହି ଘଟଣାର ତଦନ୍ତ ପୁଲିସ ଜଣେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରିଥିବାରୁ କୌଣସି ଦିଗକୁ ଏହି ମାମଲାକୁ ବାଦ୍ ଦିଆଯାଇନି।
ସୂଚନା ଥାଉକି, ମମିତା ମେହେର ହତ୍ୟା ମାମଲାରେ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଏବେ ଅଲୋଚନାର ବିଷୟ ହୋଇଥିବା ବେଳେ ଅନ୍ୟପଟେ ଡିଏନ୍ଏ ରିପୋର୍ଟ ନେଇ ଗୋବିନ୍ଦ ଓକିଲଙ୍କ ମତ ବିବାଦ ସୃଷ୍ଟି କରିଥିଲା। ମମିତାଙ୍କ ଡିଏନ୍ଏ ରିପୋର୍ଟ ତାଙ୍କ ବାପା, ମା’ଙ୍କ ସହ ମେଳ ଖାଉ ନ ଥିବା ସେ କହିଥିଲେ ଗୋବିନ୍ଦ ଓକିଲ। ଯାହାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା।
