ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ୱେବସାଇଟରୁ ହଟିଲା ପାଣ୍ଡିଆନଙ୍କ ନାଁ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଛନ୍ତି ଭିକେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରୁ ପାଣ୍ଡିଆନଙ୍କ ନାଁ ହଟାଇ ଦିଆଯାଇଛି। ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଏହି ପଦକ୍ଷେପ ନିଆଯାଇଥିବା ରାଜ୍ୟ ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଛି ।

ବିଜୁ ଜନତା ଦଳରେ ପ୍ରତ୍ୟକ୍ଷ ଭାବରେ ରାଜନୀତି କରୁଥିବା ଭିକେ ପାଣ୍ଡିଆନଙ୍କ ନାଁ କିଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରେ ରହିଛି ବୋଲି ବିଜେପି ଅଭିଯୋଗ କରିଥିଲା। ପାଣ୍ଡିଆନ ଯଦି ଜଣେ ନେତା ତେବେ ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କିଭଳି କାମ କରିପାରିବେ ବୋଲି ଗତ ଏପ୍ରିଲ ୪ ତାରିଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆପତ୍ତି ଉଠା ଯାଇଥିଲା । ସେ ନେଇ ସି-ଭିଜିଲ ଆପରେ ଅଭିଯୋଗ କରାଯାଇଥିଲା । ଏହା ପରେ ପାଣ୍ଡିଆନଙ୍କୁ ହଟାଯାଇଥିବା ବିଜେପି କହିଛି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ଉଲ୍ଲଂଘନ କରୁଥିବା BJP ଅଭିଯୋଗ ଆଣିଥିଲା।

ତେବେ ବିଜେପିର ଆକ୍ଷେପ ଓ ଅଭିଯୋଗ ଉପରେ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Related Posts