ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟିଏମସିର ବିଭାଜନ ପରେ ସଂସଦରେ NDAର ସ୍ଥିତି ମଜବୁତ। ଏନଡିଏର ସଂଖ୍ୟା ୧୪୮ରୁ ବଢ଼ି ୧୫୪ ହୋଇପାରେ। ଟିଏମସିର ୨୦ ବିଦ୍ରୋହୀ ସାଂସଦଙ୍କ ସମର୍ଥନ ପରେ ଲୋକସଭାରେ ଏନଡିଏ ସମର୍ଥକ ସାଂସଦଙ୍କ ସଂଖ୍ୟା ୨୯୪ରୁ ବଢ଼ି ୩୧୪ ପର୍ଯ୍ୟନ୍ତ ବଢ଼ିପାରେ।ଜୁନ୍ ୧୮ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଏବଂ ଟିଏମସି ସାଂସଦଙ୍କ ଇସ୍ତଫା ପରେ ଉଚ୍ଚସଦନରେ ଏନଡିଏର ସଂଖ୍ୟା ୧୪୮ରୁ ବଢ଼ି ୧୫୪ ହୋଇପାରେ।
ତେବେ ଦୁଇ ତୃତୀୟାଂଶ ବହୁମତ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଏନଡିଏକୁ ଲାକସଭାରେ ୪୬ ଏବଂ ରାଜ୍ୟସଭାରେ ୯ ସିଟ୍ର ଆବଶ୍ୟକତା ରହିବ।କଂଗ୍ରେସ ନେତା ଜୟରାମ ରମେଶ ସୋମବାର ଦାବି କରିଛନ୍ତି ଯେ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟିଏମସିରେ ବିଭାଜନ କରି ସେହି ସାଂସଦମାନଙ୍କୁ ବେଆଇନ ଭାବେ ଅଲଗା କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ଲୋକସଭାରେ ଏନଡିଏକୁ ଦୁଇ-ତୃତୀୟାଂଶ ବହୁମତ ହାସଲ କରାଇବା ଲାଗି ଏଭଳି ଅଜବ କାର୍ଯ୍ୟ ତାଙ୍କ ରଣନୀତିର ଅଂଶ ବୋଲି ଜୟରାମ କହିଛନ୍ତି। ପ୍ରକାଶଥାଉ କି, ବଜେଟ ଅଧିବେଶନରେ ସରକାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ପାସ୍ କରାଇପାରି ନ ଥିଲେ। ବିଜେପିର ସେହି ଉଦ୍ୟମକୁ ଏବେର ଟିଏମସି ସ୍ଥିତି ସହ ଜୟରାମ ଯୋଡ଼ିଛନ୍ତି।
ଲୋକସଭାର ୫୪୩ ସିଟରୁ ୩ ସିଟ୍ ଖାଲି ଅଛି। ଫଳରେ ପ୍ରଭାବୀ ସିଟ୍ ସଂଖ୍ୟା ୫୪୦ ରହିଛି। ଦୁଇ ତୃତୀୟାଂଶ ବହୁମତ ପାଇଁ ୩୬୦ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଏନଡିଏ ପାଖରେ ଲୋକସଭାରେ ଏବେ ୨୯୪ ସାଂସଦ ଅଛନ୍ତି। ଟିଏମସିର ବିଦ୍ରୋହୀ ୨୦ ସାଂସଦ ଏନଡିଏକୁ ସମର୍ଥନ କଲେ ଏହି ସଂଖ୍ୟା ୩୧୪ରେ ପହଞ୍ଚିବ। ବହୁମତ ପାଇଁ ଏନଡିଏକୁ ଆହୁରି ୪୬ ଆସନ ଦରକାର ପଡ଼ିବ। ସେହିପରି ରାଜ୍ୟସଭାରେ ମୋଟ ୨୪୫ ଆସନ ମଧ୍ୟରୁ ଦୁଇ ତୃତୀୟାଂଶ ବହୁମତ ପାଇଁ ୧୬୩ ସାଂସଦ ଆବଶ୍ୟକ। ଏନଡିଏ ପାଖରେ ଏବେ ୧୪୮ ସାଂସଦ ଅଛନ୍ତି। ଜୁନ୍ ୧୮ରେ ଅନେକ ରାଜ୍ୟସଭା ଆସନରେ ନିର୍ବାଚନ ଅଛି। କିଛି ନିର୍ଦ୍ଦଳୀୟ ସଦସ୍ୟଙ୍କ ସମର୍ଥନରେ ଏନଡିଏ ଏହି ନିର୍ବାଚନରେ ରାଜ୍ୟସଭାରେ ୧୫୧ ପର୍ଯ୍ୟନ୍ତ ସଂଖ୍ୟା ହାସଲ କରିପାରେ।ଟିଏମସିର ୩ ରାଜ୍ୟସଭା ସାଂସଦ ଇସ୍ତଫା ଦେବା ପରେ ଏହି ପଦରେ ଏନଡିଏର ପ୍ରାର୍ଥୀ ଜିତିପାରନ୍ତି ।
