ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମମତାଙ୍କୁ ପୁଣି ଝଟକା । ମୂଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଗୋଟିଏ ମଞ୍ଚରେ ନଜର ଆସିଲେ ମମତାଙ୍କ ଭାଉଜ ଏବଂ ଟିଏମସିର ଅନେକ ପୁରୁଖା ନେତା । ସିଏମ୍ ହେଲା ପରେ ଏହା କୋଲକାତା ନଗର ନିଗମ କାର୍ଯ୍ୟକ୍ରମରେ ଶୁଭେନ୍ଦୁଙ୍କ ପ୍ରଥମ ଯୋଗଦାନ ଅଟେ । ଏହି ଘଟଣା ସେତେବେଳେ ହୋଇଛି ଯେତେବେଳେ ୨୦ ଟିଏମସି ସାଂସଦ ଏନସିପିଆଇରେ ବିଲୟ ହୋଇଛନ୍ତି । ସେମାନେ ଏନଡିଏକୁ ସମର୍ଥନ ଦେଇଛନ୍ତି । ତେବେ ନଗର ନିଗମ କାର୍ଯ୍ୟକ୍ରମରେ ଟିଏମସିର ସାଂସଦ ମାଲା ରୟ ସାମିଲ ଥିଲେ । ସେ ଦଳର ଅନ୍ୟ ଜଣେ ବିଦ୍ରୋହୀ ସାଂସଦ ଅଟନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମେୟର ଫିରହାଦ ହାକିମ୍ ଉପସ୍ଥିତ ଥିଲେ । ସମସ୍ତେ ଶୁଭେନ୍ଦୁଙ୍କ ସହ ମଞ୍ଚରେ ବସିଥିଲେ ।
ଏଥିରେ ଯୋଗ ଦେଇଥିବା ମମତାଙ୍କ ଭାଉଜ କଜରୀ ବାନାର୍ଜୀ କହିଥିଲେ ଯେ, ତାଙ୍କୁ ଜନତାଙ୍କ ପ୍ରସଙ୍ଗ ଏବଂ ବିକାଶ ଉପରେ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଛି । କାଉନସିଲର ଭାବେ ତାଙ୍କର ଅନେକ ଦାୟିତ୍ୱ ରହିଛି । ବିନା କୌଣସି ବାଧାରେ ଯେପରି ସହରର ବିକାଶ ହୋଇପାରିବ ସେନେଇ ସେ କାର୍ଯ୍ୟ କରିବେ । ତେବେ କଜରୀଙ୍କ ଯୋଗଦାନ ଟିଏମସି ଶିବିରରେ ଛନକା ଖେଳାଇ ଦେଇଛି । କାରଣ ଯଦି ସେ ବିଜେପିରେ ସାମିଲ ହୁଅନ୍ତି ଏହା ମମତାଙ୍କୁ ସବୁଠୁ ବଡ ଝଟକା ହେବ । ଅର୍ଥାତ ତାଙ୍କ ପରିବାର ଲୋକେ ବି ଏବେ ହାତ ଛାଡିବାକୁ ବସିଲେଣି ବୋଲି ଚର୍ଚ୍ଚା ହେବ ।
