‘ଅଗ୍ନିପଥ’ ଯୋଜନା ବିବାଦ: ବିହାରରେ ୨୨ଟି ଟ୍ରେନ ବାତିଲ, ୫ଟି ଟ୍ରେନର ସମୟ ପରିବର୍ତ୍ତନ

ପାଟନା: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ସ୍କିମକୁ ନେଇ ଏବେ ଜୋର୍ ଧରିଛି ବିବାଦ । ଦେଶର ବିଭିନ୍ନ ରାଜ୍ୟରୁ ପ୍ରତିବାଦ ମୁଣ୍ଡ ଟେକିଛି । ଅନେକ ସ୍ଥାନରେ ହିଂସା ଓ ପ୍ରତିବାଦର ସ୍ବର ଉଠିଛି । ଏହାରି ମଧ୍ୟରେ ବିହାରରେ ବଢ଼ିବାରେ ଲାଗିଛି ହିଂସା। କିଛି ସମୟ ପୂର୍ବରୁ ବିହାରରେ ଉତ୍ତ୍ୟକ୍ତ ପ୍ରତିବାଦକାରୀମାନେ ଭଭୁଆ ରୋଡ୍‌ ରେଳ ଷ୍ଟେସନ୍‌ରେ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ର ଝରକା କାଚକୁ ପିଟି ଭାଙ୍ଗି ପକାଇବା ସହ ଗୋଟାଏ ବଗିରେ ନିଆଁ ଲଗାଇ ଦେଇଥିଲେ। ଏବେ ଏହି ହିଂସା ବଢ଼ୁଥିବା ଦେଖି ବିହାରରେ ୨୨ଟି ଟ୍ରେନ ବାତିଲ କରାଯାଇଥିବା ବେଳେ ୫ଟି ଟ୍ରେନର ସମୟ ବଦଳିଛି।

ଅଗ୍ନିପଥ ସ୍କିମକୁ ନେଇ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନକୁ ନେଇ ପୂର୍ବ କେନ୍ଦ୍ରୀୟ ରେଳବାଇର ୨୨ଟି ଟ୍ରେନ୍ ବାତିଲ ହୋଇଛି ଏବଂ ୨୯ଟି ଟ୍ରେନ୍ ପ୍ରଭାବିତ ହୋଇଛି। ଏହା ବ୍ୟତୀତ ୫ଟି ଟ୍ରେନର ସମୟ ବଦଳାଇ ଦିଆଯାଇଛି।

ଏହା ପୂର୍ବରୁ ଆରା ରେଳବାଇ ଷ୍ଟେସନ୍‌ରେ ପୁଲିସ ଉପରକୁ ଟେକାପଥର ଫିଙ୍ଗିବାରୁ ବିପୁଳ ସଂଖ୍ୟକ ପ୍ରତିବାଦକାରୀମାନଙ୍କୁ ଘଉଡ଼ାଇବା ନିମନ୍ତେ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ରେଳ ଧାରଣା ଉପରେ ଆସବାପତ୍ର ପକାଇ ପ୍ରତିବାଦକାରୀମାନେ ଲଗାଇ ଥିବା ନିଆଁ ଲିଭାଇବା ଲାଗି ରେଳବାଇ କର୍ମଚାରୀମାନେ ‘ଫାୟାର୍‌ ଏକ୍‌ଷ୍ଟିଙ୍ଗୁଇସର୍‌’ ବ୍ୟବହାର କରିଥିଲା।

ସେହିପରି, ଜେହାନାବାଦ୍‌ରେ ଛାତ୍ରମାନଙ୍କ ଟେକାପଥର ମାଡ଼ରେ କେତେକ ସାଧାରଣ ଜନତା ଓ ପୁଲିସ ଆହତ ହୋଇଛନ୍ତି। ରେଳ ରାସ୍ତା ଫାଙ୍କା କରିବା ଲାଗି ପୁଲିସ ପ୍ରତିବାଦକାରୀମାନଙ୍କୁ ତଡ଼ି ଦେବାକୁ ଉଦ୍ୟମ କରୁଥିବା ବେଳେ ଗଣ୍ଡଗୋଳ ଘଟିଥିଲା।

Related Posts