ଭୁବନେଶ୍ୱର,୧୦/୧(ସତ୍ୟପାଠ ବ୍ୟୁରୋ): ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରୁନଥିବା ଅଧିକାରୀଙ୍କୁ ଏଣିକି ଆଉ ନିସ୍ତାର ମିଳିବ ନାହିଁ। ଜାନୁଆରୀ ୩୧ ତାରିଖ ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ ନ କଲେ ଫେବୃଆରୀ ମାସରୁ ଦରମା ବନ୍ଦ ନିମନ୍ତେ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କୁ ଚରମବାଣୀ ଶୁଣାଇଛି କୃଷି ବିଭାଗ। ଯେ ପର୍ଯ୍ୟନ୍ତ ସମ୍ପତ୍ତି ତାଲିକା ଦାଖଲ ନ ହୋଇଛି, ସେ ପର୍ଯ୍ୟନ୍ତ ଦରମା ବନ୍ଦ ରହିବ। କୃଷି ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଗତକାଲି ବିଭାଗର ସମସ୍ତ ମୁଖ୍ୟ ଅଧିକାରୀଙ୍କୁ ପତ୍ର ଲେଖି ଏହି ଚେତାବନୀ ଦେଇଛନ୍ତି।
ସାଧାରଣ ପ୍ରଶାସନ ବିଭାଗ ବାରମ୍ବାର ସବୁ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କୁ ସମ୍ପତ୍ତି ତାଲିକା ଦାଖଲ ନିମନ୍ତେ ଚିଠି ଲେଖି ଆସୁଛନ୍ତି। ବର୍ଷକ ମଧ୍ୟରେ ଚାରିଥର ଦାଖଲ ଅବଧି ସୂଚୀ ପ୍ରକାଶ ପାଇ ସାରିଲାଣି। ତଥାପି ଅନେକ କର୍ମଚାରୀ ନିଜ ସମ୍ପତ୍ତି ତାଲିକା ଦାଖଲ କରୁନାହାନ୍ତି। ଫଳରେ କୃଷି ବିଭାଗ ଏ ସଂକ୍ରାନ୍ତରେ ଚରମ ନିଷ୍ପତ୍ତି ନେଇଛି। ୨୦୨୦ ମସିହାରେ ରାଜ୍ୟ କ୍ୟାବିନେଟ୍ ଏକ ପ୍ରସ୍ତାବ ପାରିତ କରି ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସମେତ ସବୁପ୍ରକାରର ସରକାରୀ କର୍ମଚାରୀଙ୍କ ନିମନ୍ତେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲକୁ ବାଧ୍ୟତାମୂଳକ କରିଥିଲେ।
ଇତିମଧ୍ୟରେ ପୂର୍ବ ବର୍ଷର ସମୟ ଅତିକ୍ରମ କରିଛି ଓ ଆଉ ଏକ ବର୍ଷ ଆରମ୍ଭ ହେଲାଣି। ଅନେକ ଅଧିକାରୀ ଏଯାଏ ନିଜ ସମ୍ପତ୍ତି ତାଲିକା ଦେଇ ନାହାନ୍ତି। ସାଧାରଣ ପ୍ରଶାସନ ବିଭାଗ ମଧ୍ୟ ୨୦୨୨ ଡିସେମ୍ୱର ୩୧ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ସମସ୍ତ କର୍ମଚାରୀଙ୍କୁ ୨୦୨୩ ଜାନୁଆରୀ ୩୧ତାରିଖ ସୁଦ୍ଧା ନିଜର ବାର୍ଷିକ ସମ୍ପତ୍ତି ବିବରଣୀ(୨୦୨୨ ମସିହା ଡିସେମ୍ୱର ୩୧ସୁଦ୍ଧା) ଏଚଆରଏମଏସ ପୋର୍ଟାଲରେ ଅନଲାଇନରେ ଦାଖଲ କରିବାକୁ ପରାମର୍ଶ ଦେଇଛି। ପଦୋନ୍ନତି ପାଇଁ ସମ୍ପତ୍ତି ତାଲିକା ଦାଖଲ ଏକ ଗୁରୁତ୍ୱପୂର୍ଣ୍ଣ ମାପକାଠି ଓ ଯେଉଁମାନେ ସମ୍ପତ୍ତି ତାଲିକା ନ ଦେବେ ସେମାନଙ୍କ ପଦୋନ୍ନତି ସମ୍ପର୍କରେ ବିଚାର କରାଯିବ ନାହିଁ ବୋଲି କୁହାଯାଇଛି। ଏବେ କୃଷି ବିଭାଗ ଦରମା ବନ୍ଦ କରିବାକୁ ଚେତାବନୀ ଦେଇଛି।
କାର୍ଯ୍ୟକ୍ଷେତ୍ରରେ ପାରଦର୍ଶିତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲକୁ ବାଧ୍ୟତାମୂଳକ କରିଛନ୍ତି। ଏଥିପାଇଁ ଏଚ୍ଆରଏମ୍ସ୍ ପୋର୍ଟାଲରେ ବ୍ୟବସ୍ଥା କରାଯାଇଛି। ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୂନ୍ୟ ସହନଶୀଳତା ଡାକରା ଦେଇଛନ୍ତି। କର୍ତ୍ତବ୍ୟରେ ଅବହେଳା, ଦୁର୍ନୀତି, ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ ‘୫-ଟି’ ଛାଟ ବାଜୁଛି। ଜଣକ ପରେ ଜଣେ ଅଧିକାରୀଙ୍କୁ ବିଦା କରାଯାଉଛି। ସେମାନଙ୍କ ପେନସନ୍ ବନ୍ଦ କରାଯାଉଛି। ହେଲେ କାର୍ଯ୍ୟରତ କିଛି ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ ଏହା ପ୍ରଭାବ ପକାଉ ନଥିବା ଭଳି ଜଣାପଡୁଛି। ତେବେ କୃଷି ବିଭାଗ ଏପରି ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି। ଆଗକୁ ଆଉ କିଛି ବିଭାଗ ଏପରି କାର୍ଯ୍ୟାନୁଷ୍ଠାନ ଘୋଷଣା କରିବା ସମ୍ଭାବନା ଅଛି।
