ନିର୍ବାଚନ ପୂର୍ବରୁ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ମୁଣ୍ଡ ଉପରେ ନିର୍ବାଚନ । ଏହା ପୂର୍ବରୁ ବଢ଼ିଛି ଅଙ୍ଗନବାଡ଼ି କର୍ମୀଙ୍କ ଦରମା । ମାସିକ ପାରିଶ୍ରମିକ ୭ ହଜାର ୫ଶହରୁ ୧୦ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର । ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୫ ହଜାର ୩୭୫ରୁ ୭ ହଜାର ୨୫୦କୁ ବୃଦ୍ଧି କରିଛନ୍ତି ସରକାର । ଅଙ୍ଗନବାଡ଼ି ସହାୟିକାଙ୍କ ଦରମା ୩ ହଜାର ୭୫୦ରୁ ବଢ଼ି ୫ ହଜାର ଟଙ୍କା ହୋଇଛି । ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ । ରାଜ୍ୟ ସରକାର ବର୍ଷକୁ ଖର୍ଚ୍ଚ କରିବେ ୩୫୦ କୋଟି ଟଙ୍କା । ଏହି ଗୁରୁତ୍ବପୂଣ୍ଣର୍ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଚଳିତ ଫେବୃଆରୀ ମାସରୁ ବର୍ଦ୍ଧିତ ପାରିଶ୍ରମିକ ନିୟମିତ ଭାବେ ମିଳିବ। ଅକ୍ଟୋବର ୨୦୨୩ରୁ ଜାନୁଆରୀ ୨୦୨୪ – ଚାରି ମାସର ବର୍ଦ୍ଧିତ ବକେୟା ରାଶି ମାର୍ଚ୍ଚ ୫ ତାରିଖରୁ ୧୦ ତାରିଖ ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ସେହିପରି ଅଙ୍ଗନବାଡି କର୍ମଚାରୀଙ୍କ ସେବା ନିବୃତ୍ତିରେ ପାଉଥିବା ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ପ୍ରୋତ୍ସାହନ ରାଶି ବାବଦରେ ଅଙ୍ଗନବାଡି କର୍ମୀମାନେ ପୂର୍ବରୁ ପାଉଥିବା ୪୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା ପାଇବେ। ମିନି ଅଙ୍ଗନବାଡି କର୍ମୀମାନେ ୩୦ ହଜାର ଟଙ୍କା ପରିବର୍ତ୍ତେ ୭୫ ହଜାର ଟଙ୍କା ପାଇବେ ଓ ଅଙ୍ଗନବାଡି ସହାୟିକାମାନେ ୨୦ ହଜାର ଟଙ୍କା ପରିବର୍ତ୍ତେ ୫୦ ହଜାର ଟଙ୍କା ପାଇବେ। ସେହିପରି ସାମାଜିକ ସୁରକ୍ଷା ଦିଗରେ ମୃତ୍ୟୁ କିମ୍ବା ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା ନିମନ୍ତେ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ ୨ ଲକ୍ଷ ଟଙ୍କା ଓ ଆଂଶିକ ଅକ୍ଷମତା ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହି ସୁବିଧା ମଧ୍ୟ ଏପ୍ରିଲରୁ ଲାଗୁ ହେବ।

Related Posts