ବିଶାଳ ଶୋଭାଯାତ୍ରା ଓ ସମାବେଶ କରି ଶକ୍ତି ପ୍ରଦର୍ଶନ କଲେ ଅକ୍ଷୟ କୁମାର

ଭୁବନେଶ୍ୱର,୧୭/୪(ସତ୍ୟପାଠ ବ୍ୟୁରୋ):   ରାଜ୍ୟ ରାଜନୀତିରେ ବଡ଼ ହଟଚମଟ୍ ହେବ ହିଞ୍ଜିଳିରେ । ବଡ଼ ରାଜନୈତିକ ଲଢେଇ ଦେଖିବ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ । ଏଥର ହାଲୁକା ହେବନି ନବୀନଙ୍କ ନିର୍ବାଚନୀ ମୁକାବିଲା । ପ୍ରତିପକ୍ଷ ପ୍ରାର୍ଥୀ ଜାତୀୟ ସ୍ତରର କୃଷକ ନେତା ତଥା ଜନ ଆନ୍ଦୋଳନକାରୀ ଅକ୍ଷୟ କୁମାରଙ୍କ ପକ୍ଷରୁ କଡ଼ା ମୁକାବିଲାର ସମୁଖିନ ହେବେ । ଆଜି ପବିତ୍ର ରାମ ନବମୀରୁ ଅକ୍ଷୟକ କୁମାରଙ୍କ ହିଞ୍ଜିଳି ମହାଅଭିଯାନ ଆରମ୍ଭ ହୋଇଛି । ପୂର୍ବରୁ ଦୁର୍ବଳ ଓ ବ୍ରାଣ୍ଡ ନଥିବା ନେତାଙ୍କ ସହ ଲଢ଼ି ବାଜି ମାରୁଥିଲେ  ନବୀନ ପଟ୍ଟନାୟକ । ଏଥର କିନ୍ତୁ ରାଜ୍ୟର ସଂଘର୍ଷଶୀଳ ନେତା ଅକ୍ଷୟ କୁମାରଙ୍କ ସହ ସଂଘର୍ଷରେ ତାଙ୍କୁ ଘମାଘୋଟ ଲଢ଼େଇର ସମ୍ମୁଖିନ ହେବାକୁ ପଡ଼ିବ । ଭୁବନେଶ୍ବର ଠାରୁ ଏକ ବିଶାଳ କାର୍ ଶୋଭାଯାତ୍ରାରେ ଅକ୍ଷୟ କୁମାର ଆସି ହିଞ୍ଜିଳିର ଶ୍ୟାମଳାଇ ମନ୍ଦିରରେ ପଞ୍ଚିଥିଲେ । ସେଠାରେ ସମବେତ ହିଞ୍ଜିଳିବାସୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ନବୀନ ପଟ୍ଟନାୟକ ସାଧାରଣ ଜୀବନରେ ନରହି, କୌଣସି କାମ ନକରି ବଂଶବାଦ୍ ତତ୍ତ୍ବରେ ସେ ଆଜି ମାଗାଣା ନେତା ହୋଇଛନ୍ତି । ନବୀନ ଜୀବନରେ ଲୋକଙ୍କ ପାଇଁ ଲଢ଼େଇ କରି ଥରୁଟିଏ ବି ଥାନାକୁ ଯାଇନାହାଁନ୍ତି। ମୋ ନେତୃତ୍ବ ସଂଘର୍ଷର କାହାଣୀ । ନବୀନ ଦୀର୍ଘ ଦିନ କ୍ଷମତାରେ ରହି ସାଧାରଣ ଲୋକଙ୍କ ଉପକାର କରୁନାହାଁନ୍ତି କିମ୍ବା ଲୋକଙ୍କ ଜୀବନ ଜୀବିକାର ଦୀର୍ଘମିଆଦି ଲାଭ ଯେଭଳି ପାଇବେ, ସେଭଳି ଉଦ୍ୟମ ହେଉନାହିଁ।

 କେବଳ ଗଣମାଧ୍ୟମରେ ପ୍ରଚାର ସର୍ବସ୍ବ ଯୋଜନା ଚାଲିଛି । ହିଞ୍ଜିଳିକୁ ଯଦି କିଏ ବାହାର ରାଜ୍ୟ ସାମ୍ବାଦିକ ଆସେ ତା ହେଲେ ସେ ଦେଖିବ ହିଞ୍ଜିଳିରେ ବିକାଶର କିଭଳି ମୃତ୍ୟୁ ହୋଇଛି । ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପ୍ରତାରଣା କରିବା ସହ ବିକାଶର ମିଛ ପ୍ରଚାର ଚଳାଇଛନ୍ତି । ଏଣୁ ହିଞ୍ଜିଳିରୁ ହିଁ ପରିବର୍ତ୍ତନର ସ୍ରୋତ ବୁହାଇବାକୁ ପଡ଼ିବ । ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଗଣତନ୍ତ୍ରରେ ଏଥିପାଇଁ ନିର୍ବାଚନ ହେଉଛି ଯେ, ଲୋକେ ଗଣତନ୍ତ୍ରରେ ବାରମ୍ବାର ମତପରିବର୍ତ୍ତନ କରି ଏବେ ଓଡ଼ିଶାରେ ସରକାର ବଦଳାଇବାର ସମୟ ଆସିଛି। ନବନିର୍ମାଣ ଚାଷୀ ସରକାର ଆସିଲେ ଶିକ୍ଷା, ସ୍ବାସ୍ଥ୍ୟର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ।  ଶିକ୍ଷା ପରେ ନିଯୁକ୍ତିର ଗ୍ୟାରେଣ୍ଟି ମିଳିବ । କୁଖ୍ୟାତି ଅମଲାତନ୍ତ୍ର ବଦଳରେ ଅମଲାତନ୍ତ୍ର ସାଧାରଣ ଲୋକଙ୍କ ପାଇଁ କ୍ରିୟାଶୀଳ ହେବ ।

 ପରିବର୍ତ୍ତନର ଫିଲ୍ ଗୁଡ଼୍ ଇମପ୍ୟାକ୍ଟ ଲୋକେ ଅନୁଭବ କରିବେ। ମୁଁ ନିର୍ବାଚନ ଜିତି କ୍ଷମତା ପାଇଁ ବ୍ୟାକୁଳ ନୁହେଁ କେବଳ ଲୋକଙ୍କ ମୁକ୍ତି ଓ ସାମଗ୍ରୀକ ବିକାଶ ଲାଗି ନବୀନଙ୍କ ସହ ପ୍ରତିଦ୍ବନ୍ଦିତା କରୁଛି । ଆଜିର ସମାବେଶରୁ ସାରା ଓଡ଼ିଶାର ଛାମୁଆ ନେତା ଓ ଆଗଧାଡ଼ିର କର୍ମୀମାନେ ସାମିଲ ଥିଲେ। ସଂଗଠନର ମହାସଚିବ ପ୍ରଦୀପ ପ୍ରଧାନ, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମି ରଂଜନ ସ୍ବାଇଁ, ଯୁବଛାତ୍ର ସଂଯୋଜକ ମନଓ୍ବର ଅଲ୍ଲୀ, ରାଜ୍ୟ କମିଟି ସଭ୍ୟ ଦେବି ପ୍ରସାଦ ମହାରଣା, ଜତି ପଧାନ, ସୁରେନ୍ଦ୍ର ନାଥ ମହାରଣା, ଅକ୍ରୃର ପଲାଇ, ଲକ୍ଷ୍ମୀଧର ପ୍ରଧାନ, ବିଳାସିନୀ ମହନ୍ତ, ପ୍ରସନ୍ନ ମହାନ୍ତି ପ୍ରମୁଖ ସାମିଲ ଥିଲେ।

Related Posts