ଅଗଷ୍ଟ ୮ରେ କଟକ ଆସୁଛନ୍ତି ଅମିତ୍ ଶାହା; ପୁଲିସ ପକ୍ଷରୁ କଟକ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଅଗଷ୍ଟ ୮ ତାରିଖରେ କଟକ ଆସୁଛନ୍ତି । ଏହି ଅବସରରେ ଇନ୍‌ଡୋର ଷ୍ଟାଡିୟମ୍‌ରେ ହେଉଥିବା ‘ପ୍ରଜାତନ୍ତ୍ର’ର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିୟମ ଦୃଷ୍ଟିରୁ ଗୃହମନ୍ତ୍ରୀଙ୍କର ‘ଜେଡ୍‌’ ସୁରକ୍ଷା ବଳୟ ବ୍ୟବସ୍ଥା ରହିଛି ।କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କଟକ ସହର ଏକରକମ ପୁଲିସ ଛାଉଣିରେ ରହିବ । ଏଥିରେ ପ୍ରାୟ ୩୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହେବେ ।

କମିସନ୍‌ରେଟ୍‌ ପୁଲିସ ପକ୍ଷରୁ ଫୁଲନଖରାରୁ ଇନ୍‌ଡୋର ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ସୁରକ୍ଷା ବଳୟ ସୃଷ୍ଟି କରାଯିବ । ମନ୍ତ୍ରୀ ଶ୍ରୀ ଶାହ ଜାତୀୟ ରାଜପଥରେ ଆସିବେ । ଫୁଲନଖରା ପାଖରୁ କଟକ ପୁଲିସ ତାଙ୍କୁ ସୁରକ୍ଷା ଯୋଗାଇ ଆଣିବ। ରାସ୍ତା ତମାମ୍‌ ଟ୍ରାଫିକ୍‌ କଟକଣା କରାଯାଇଛି। ସେହିପରି ରାସ୍ତାର ପ୍ରତି ଦୁଇ ଶହ ମିଟରରେ ଜଣେ ଲେଖାଏଁ ସୁରକ୍ଷା କର୍ମୀ ରହିବେ। ମଧୁପାଟଣା ଛକରେ ପହଞ୍ଚିବା ପରେ ସେଠାରୁ ଦଳୀୟ କର୍ମୀମାନେ ଏକ ବଡ଼ ଶୋଭାଯାତ୍ରାରେ ଶ୍ରୀ ଶାହାଙ୍କୁ ପାଛୋଟି ନେବେ । ସେ ଇନ୍‌ଡୋର ଷ୍ଟାଡିୟମ୍‌ ଯିବା ବାଟରେ ୧୦ଟି ଛକରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ଶ୍ରୀ ଶାହ ନେତାଜୀ ମ୍ୟୁଜିୟମ୍‌ରେ ପହଞ୍ଚି ସେଠାରେ ମାଲ୍ୟାର୍ପଣ କରି ଷ୍ଟାଡିୟମ୍‌ ଅଭିମୁଖେ ଯିବେ ।

ସେଠାରେ କାର୍ଯ୍ୟକ୍ରମ ଶେଷ କରି ପୁଣି ଜାତୀୟ ରାଜପଥରେ ଭୁବନେଶ୍ୱର ଫେରିଯିବେ । ଗୃହମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିବା ନେଇ ଚୂଡ଼ାନ୍ତ ହୋଇଛି । ରବିବାର ସକାଳୁ ପୁଲିସ ଟିମ୍‌ ନେତାଜୀ ମ୍ୟୁଜିୟମ ଓ ଇନ୍‌ଡୋର ଷ୍ଟାଡିୟମ୍‌କୁ ନିଜ ହେପାଜତକୁ ନେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଇନ୍‌ଡୋର ଷ୍ଟାଡିୟମ୍‌ କାର୍ଯ୍ୟକ୍ରମରେ ଅତିଥି ଅଛନ୍ତି । ମାତ୍ର ତାଙ୍କ ଗସ୍ତ ନେଇ ଏଯାବତ ପୁଲିସ ପକ୍ଷରୁ ସୂଚନା ମିଳନାହିଁ । ଯଦି ମୁଖ୍ୟମନ୍ତ୍ରୀ ଆସନ୍ତି ତାହେଲେ ଏନେଇ ଆଉ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିବ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ସତ୍ୟବ୍ରତ ଷ୍ଟାଡିୟମ୍‌ ପାଖରେ ହେଲିପ୍ୟାଡ୍‌ ପ୍ରସ୍ତୁତ କରାଯାଇ ସେଠାରୁ ଇନ୍‌ଡୋର ଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।

Related Posts