ନବ ଦାସଙ୍କ ହତ୍ୟା ପଛରେ ଉପକୂଳ ଓଡିଶାର ପ୍ରଭାବଶାଳୀ ନେତାଙ୍କ ହାତ ରହିଛି: ସୁବାସ ପାଣିଗ୍ରାହୀ

ଭୁବନେଶ୍ୱର,୬/୨(ସତ୍ୟପାଠ ବ୍ୟୁରୋ): ଶାସକ ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ କିଭଳି ଜିତିବ ତାହା ଦେଖେ । କିଏ ମରିଗଲା, କିଏ ହଜିଗଲା ତାଙ୍କର ଦଳର ଲୋକ ସେମାନେ କିଛି ଦେଖନ୍ତି ନାହିଁ । କିଏ ମରିଗଲା, ସେଠି କିପରି ଉପନିର୍ବାଚନ କରି ଜିତିବେ ସେମାନେ କେବଳ ସେଥିରେ ଲାଗିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଉପନିର୍ବାଚନ ଚର୍ଚ୍ଚାକୁ ନେଇ ଶାସକ ବିଜେଡିକୁ ଏଭଳି କଟୁ ଭାଷାରେ ସମାଲୋଚନା କରିଛନ୍ତି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।

ସୁବାସ ପାଣିଗ୍ରାହୀ କହିଛନ୍ତି ଯେ, ସୁଧିକ୍ରିୟା ସରିନି ସେଠି କିଭଳି ଉପନିର୍ବାଚନ ହେବ, କାହାକୁ ପ୍ରାର୍ଥୀ କରାଯିବ ସେ କଥା ବିଜେଡି ଚିନ୍ତା କରୁଛି । ତେବେ ନବ ଦାସଙ୍କୁ ହତ୍ୟା ପଛରେ ବ୍ୟବସାୟ ସାମ୍ରାଜ୍ୟ ଷଡ଼ଯନ୍ତ୍ର ଥାଇପାରେ । ହତ୍ୟା ପଛରେ ରାଜନୈତିକ ଷଡ଼ଯନ୍ତ୍ର ବି ରହିଛି । ଗୋଟିଏ ଗୋଟିଏ ଖଣିର ମାଲିକ ରାଜନେତା । ସେହି ଖଣି ଟଙ୍କାରେ ନିର୍ବାଚନ ଲଢ଼ୁଛନ୍ତି ବୋଲି ସେ କହିଛନ୍ତି । ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଥିଲେ ନବ ଦାସ । ତାଙ୍କ ସାମ୍ରାଜ୍ୟକୁ ଶେଷ କରି ସେଠାରେ ଆଉ ଜଣେ କିଏ ବସିବା ଲାଗି ତାଙ୍କର ହତ୍ୟା କରିଥିବା ଲାଗୁଛି ବୋଲି କହିଛନ୍ତି ସୁବାସ ।

ଷଡ଼ଯନ୍ତ୍ର କରି ନବ ଦାସଙ୍କୁ ମାରି ଦିଆଯାଇଛି । ବ୍ୟବସାୟ ଓ ରାଜନୀତିକୁ ନେଇ ହତ୍ୟା କରାଯାଇଛି । ବିଜେଡି ଦଳର କେହି ନେତା ତାଙ୍କୁ ମାରି ଦେଇଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ସୁବାସ ପାଣିଗ୍ରାହୀ । ଇଙ୍ଗିତ କରି କହିଛନ୍ତି ନେତା ଜଣଙ୍କ ଉପକୂଳ ଓଡ଼ିଶାର । ତେବେ କିଏ ସେହି ବିଜେଡି ନେତା ? ପଚାରିବାରୁ, କାହା ନାଁ ନେଇ ନାହାଁନ୍ତି ସୁବାସ ପାଣିଗ୍ରାହୀ । ସିବିଆଇ ତଦନ୍ତ କଲେ ସମ୍ପୂର୍ଣ୍ଣ ସତ ପଦାକୁ ଆସିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୯ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ କାରରୁ ଓହ୍ଲାଇବା ବେଳେ ଏଏସ୍ଆଇ ଗୋପାଳ ଦାସ, ନବଙ୍କୁ ଗୁଳି ମାରିଥିଲେ । ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ୮ ଦିନ ବିତିଲାଣି । ତଥାପି ଗୋପାଳ କାହିଁକି ଗୁଳି କଲା ତାହା ଜଣାପଡ଼ିନି ।

Related Posts