
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ପୁଣି ଥରେ ହତ୍ୟା ଧମକ ଦିଆଯାଇଛି। ଏଥର ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ନମ୍ବରରେ ଏକ ଧମକପୂର୍ଣ୍ଣ ଫୋନ କଲ ଆସିଛି। କଲ କରୁଥିବା ବ୍ୟକ୍ତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ଧମକ ଦେଇଥିଲେ। ଏନେଇ ହସ୍ପିଟାଲ ପକ୍ଷରୁ ମୁମ୍ବାଇ ସ୍ଥିତ ଡିବି ମାର୍ଗ ପୋଲିସ ଷ୍ଟେଶନରେ ଅଭିଯୋଗ କରାଯାଇଛି।
ସୂଚନା ଯୋଗ୍ୟ ଯେ, ସମୁଦାୟ ୮ଟି ଧମକପୂର୍ଣ୍ଣ ଫୋନ୍ କଲ ଆସିଥିଲା। ପୋଲିସ ବର୍ତ୍ତମାନ ସମ୍ପୂର୍ଣ ଘଟଣାକୁ ଯାଞ୍ଚ କରୁଛି। ଧମକପୂର୍ଣ୍ଣ କଲ ବିଷୟରେ ସୂଚନା ପାଇବା ପରେ ମୁମ୍ବାଇ ପୋଲିସର ଏକ ଟିମ, ମହାରାଷ୍ଟ୍ର ଏଟିଏସ ଟିମ ଏବଂ କ୍ରାଇମ ବ୍ରାଞ୍ଚ ଟିମ ଆଣ୍ଟିଲିଆରେ ପହଞ୍ଚିଛନ୍ତି। ଏଥିସହିତ ପୋଲିସ ସାଧା ପୋଷାକରେ ଆଣ୍ଟିଲିଆ ଚାରିପାଖରେ ରାସ୍ତାରେ ପହର ମାରୁଛି। ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖାଯାଏ ତେବେ ତାଙ୍କୁ ପଚରାଉଚରା କରାଯିବ ବୋଲି ପୋଲିସ ପ୍ରକାଶ କରିଛି।
ସୂଚନା ଅନୁସାରେ, ଗତ ବର୍ଷ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆଠାରୁ କିଛି ଦୂରରେ ଏକ ସନ୍ଦିଗ୍ଧ କାର୍ ମିଳିଥିଲା। ଏଥିରୁ ୨୦ଟି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। କାର୍ରୁ ଏକ ଚିଠି ମଧ୍ୟ ମିଳିଥିଲା। ଚିଠିରେ ଅମ୍ବାନୀ ପରିବାରକୁ ଧମକ ଦିଆଯାଇଥିଲା। ଏହି ଘଟଣା ପରେ ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା।
୨୦୧୩ରେ ମୁକେଶ ଅମ୍ବାନୀ ହିଜବୁଲ ମୁଜାହିଦ୍ଦିନଙ୍କଠାରୁ ଧମକ ପାଇଥିଲେ। ଏହା ପରେ ତାଙ୍କୁ ତତ୍କାଳୀନ ମନମୋହନ ସିଂ ସରକାର ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରିଥିଲେ। ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ ମଧ୍ୟ ଓ୍ବାଇ ପ୍ଲସ୍ ସୁରକ୍ଷା ଦିଆଯାଇଥିଲା। ଏଥିସହିତ ମୁକେଶ ଅମ୍ବାନୀଙ୍କ ପିଲାମାନଙ୍କୁ ମହାରାଷ୍ଟ୍ର ସରକାର ଗ୍ରେଡେଡ୍ ସୁରକ୍ଷା ପ୍ରଦାନ କରିଥିଲେ।