ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ସରକାରୀ କଲେଜ ରାଗିଂ ଘଟଣା ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବ୍ରହ୍ମପୁରରୁ ପୁଣି ଆସିଛି ଆଉ ଏକ ରାଗିଂ ଅଭିଯୋଗ । ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ରାଗିଂ ହୋଇଥିବା ଅଭିଯୋଗ । ଯୁକ୍ତ ଦୁଇର ଛାତ୍ରୀଙ୍କୁ ରାଗିଂ ହୋଇଥିବା କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି । ସିନିୟର ଛାତ୍ରମାନେ ଶ୍ରେଣୀଗୃହରେ ବାଣ ଫୁଟାଇବା ସହ ବିଶୃଙ୍ଖଳା କରୁଥିବା ନେଇ ଛାତ୍ରୀ ଅଭିଯୋଗ ଆଣିଛନ୍ତି ।ଅଭିଯୋଗକୁ ନେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ଦେଇଛନ୍ତି ଛାତ୍ରୀ ।

ରାଗିଂ ଘଟଣା ନେଇ ଅଭିଯୋଗ ପାଇବା ପରେ ଆଣ୍ଟି ରାଗିଂ କମିଟିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଲେଜ କର୍ତ୍ତୃପକ୍ଷ । ୨ ମାସ ପୂର୍ବରୁ କିଛି ଛାତ୍ରୀ ଏଭଳି ଅଭିଯୋଗ ଆଣିବା ପରେ ୬ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ କଲେଜ କର୍ତ୍ତୃପକ୍ଷ । ୧୦ ଦିନ ପାଇଁ ୬ ଜଣ ଛାତ୍ରଙ୍କୁ କ୍ୟାମ୍ପସରୁ ନିଲମ୍ବନ କରାଯାଇଥିଲା ବୋଲି ସୂଚନା ମିଳିଛି।

ସୂଚନା ଯୋଗ୍ୟ, ବ୍ରହ୍ମପୁର ହରିଡାଖଣ୍ଡି ଛକସ୍ଥିତ ବିନାୟକ ଆଚାର୍ଯ୍ୟ ସରକାରୀ କଲେଜ ପରିସରରେ ଗତ ମଙ୍ଗଳବାର ଜଣେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ୧୨ ଜଣ ଛାତ୍ରଛାତ୍ରୀ ରାଗିଂ କରିଥିଲେ। କଲେଜର ଆଣ୍ଟି ରାଗିଂ ଓ ଶୃଙ୍ଖଳା କମିଟିର ସୁପାରିସ କ୍ରମେ ଏହି ୧୨ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରାଯାଇଛି। ଏହି ଘଟଣାରେ ୫ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।