ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଆଉ ଜଣେ ଗିରଫ । ୧୭ ରେ ପହଞ୍ଚିଲା ଗିରଫ ସଂଖ୍ୟା । ତାଙ୍କ ନାଁ ଅଶୋକ ଜେନା ଓରଫ ଗେଡା (୪୫)। ତାଙ୍କ ଘର କଟକ ସଦର ଥାନା ଗଙ୍ଗେଶ୍ୱରଗଡ଼ରେ । ଭୁବନେଶ୍ୱରର ପଟିଆ ସ୍ଥିତ ଏକ ହୋଟେଲରୁ ଅଶୋକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତଦନ୍ତ ବେଳେ ଏହି ଘଟଣାରେ ଅଶୋକଙ୍କ ସଂପୃକ୍ତି ନେଇ କ୍ରାଇମବ୍ରାଞ୍ଚ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରିଛି। ତାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି। ସେ ସୌମ୍ୟଙ୍କ ମୁଣ୍ଡକୁ ପିଟିଥିଲେ ।
ସେପଟେ ଏଯାବତ୍ ଏହି ଘଟଣାରେ ୧୭ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ କମିଶନରେଟ ପୁଲିସ ଗିରଫ କରିଥିବା ବେଳେ ୬ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରି ରହିଛି। କ୍ରାଇମବ୍ରାଞ୍ଚ ଡିଆଇଜି ବି ଗଙ୍ଗାଧର କହିଛନ୍ତି, ଆଜି ଧରାପଡ଼ିଥିବା ବ୍ୟକ୍ତି ସୌମ୍ୟଙ୍କ ମୁଣ୍ଡକୁ ପିଟିଥିବା ପ୍ରମାଣ ମିଳିଛି। ଏହି ଘଟଣାରେ ଆହୁରି ୧୦ ଜଣ ଫେରାର ରହିଛନ୍ତି।
କାହାରିକୁ ଛାଡ଼ିବୁ ନାହିଁ। ସମସ୍ତଙ୍କୁ ଗିରଫ କରାଯିବ। ପୋଷ୍ଟମର୍ଟମ ରିପୋର୍ଟରୁ ବ୍ରେନ୍ରେ ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏଥିସହ ସୌମ୍ୟଙ୍କର ଶରୀରର ଅନ୍ୟ ଭାଗରେ ମଧ୍ୟ ଆଘାତ ଲାଗିଛି। ଏହା ଏକ ସମ୍ବେଦନଶୀଳ ହତ୍ୟାକାଣ୍ଡ। ସେଥିପାଇଁ ଅଭିଯୁକ୍ତ ଲୁଚି ଯାଇଛନ୍ତି। ସୌମ୍ୟଙ୍କ ସାଙ୍ଗ ଭୂମିକା ମଧ୍ୟ ଏବେ ତଦନ୍ତ ପରିସରଭୁକ୍ତ ରହିଛି। ଯେଉଁ ଯୁବତୀଙ୍କ କଥା ପଦାକୁ ଆସିଛି, ସୌମ୍ୟଙ୍କ ସହ ତାଙ୍କର ପରିଚୟ ନ ଥିଲା। ଭିଡ଼ ହିଂସାର ସ୍ବତନ୍ତ୍ର ଧାରା ରହିଛି। ପରେ ବି ଲଗାଯାଇ ପାରିବ ବୋଲି କହିଛନ୍ତି ।
