ଗଣଶିକ୍ଷା ବିଭାଗ ର ନିଷ୍ପତିକୁ ବିରୋଧ, ନିର୍ଦ୍ଦେଶ ପ୍ରତ୍ୟାହାର କରିବାକୁ ଦାବି କଲେ ଅପରାଜିତା, ସୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସରକାରୀ ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ଗଣଶିକ୍ଷା ବିଭାଗ ଲଗାଇଥିବା କଟକଣା କୁ ନାପସନ୍ଦ କରିଛନ୍ତି ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ। ଏହି ଆଦେଶ କୁ ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି। ଅପରାଜିତା ନିଜର ପ୍ରତିକ୍ରିୟାରେ କହିଛନ୍ତି, ଏଭଳି ନି‌ଷ୍ପତ୍ତି ମତେ ଆଶ୍ଚର୍ଯ୍ୟ କରୁଛି। ସ୍କୁଲ ଭିତରକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ସେମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ଏହା ଏକ ହାସ୍ୟାସ୍ପଦ ନିଷ୍ପତି ବୋଲି ଅପରାଜିତା କହିଛନ୍ତି। ଆହୁରି କହିଛନ୍ତି ମୁଁ ଯେତେବେଳେ ଗଣଶିକ୍ଷା ବିଭାଗର ସଚିବ ଥିଲି ସେତେବେଳେ ସ୍କୁଲରେ ଥିବା ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣିବା ଲାଗି ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲି। ସରକାର ତୁରନ୍ତ ଏହି ଆଦେଶ କୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ଅପରାଜିତା।

ସେପଟେ ଏହି ଘଟଣା କୁ କଂଗ୍ରେସ ବିଧାୟକ ସୁର ରାଉତରାୟ ବି ପ୍ରତିକ୍ରିୟା ଦେଇଛନ୍ତି। ସରକାରୀ ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ନିର୍ଦେଶ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ସରକାରୀ ସ୍କୁଲରେ ହେଉଥିବା ଅନିୟମିତତା, ପିଲାମାନଙ୍କ ପାଠପଢ଼ା ବିଷୟରେ ଖବର ପ୍ରକାଶ ପାଇବ ପାରେ ସରକାରୀ ସ୍କୁଲର ଗୁମର ଲୋକଲୋଚନକୁ ଆସିଥିଲା। ପରେ ଗଣଶିକ୍ଷା ବିଭାଗ ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛି। କେବଳ ଏତିକି ନୁହେଁ, ଯଦି କେହି ବାରଣ ସତ୍ତ୍ବେ କ୍ୟାମେରା, ବୁମ୍ ଧରି ସ୍କୁଲକୁ ଯିବେ ତେବେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏଫ୍ଆଇଆର୍ ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରିକରି କୁହାଯାଇଛି।

Related Posts