ଅଶ୍ୱିନୀ ବୈଷ୍ଣବ ବିଜେଡି-ବିଜେପିର ମିଳିତ ରାଜ୍ୟସଭା ପ୍ରାର୍ଥୀ!, ୧୫ରେ ଭରିବେ ନାମାଙ୍କନ

ଭୁବନେଶ୍ଵର, ୧୩/୨ (ସତ୍ୟପାଠ ବ୍ୟୁରୋ): ଆସନ୍ତା ୧୫ ତାରିଖରେ ବିଜେଡି-ବିଜେପିର ମିଳିତ ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଭରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଆଜି ସନ୍ଧ୍ୟାରେ ବିଜେପିର ସଂସଦୀୟ ବୋର୍ଡର ବୈଠକ ବସୁଥିବାବେଳେ ବୈଠକ ପରେ ଅଶ୍ୱିନୀଙ୍କ ନାଁ ବିଜେପି ଘୋଷଣା କରିବ ବୋଲି ସୂଚନା ମିଳିଛି। ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ପୂର୍ବଥର ଭଳି ବିଜେଡି ତାଙ୍କୁ ସମର୍ଥନ ଜଣାଇବ।

ସେପଟେ ଆସନ୍ତା କାଲିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ । ଆସନ୍ତାକାଲି ସରକାରୀ କାର୍ଯ୍ୟକ୍ରମ ପରେ ୧୫ ତାରିଖରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ତେବେ ଚଳିତଥର ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ଖାଲି ହେଉଥିବା ବେଳେ ଏଥିରୁ ଗୋଟିଏ ଆସନ ଅଶ୍ୱିନୀ ବୈଷ୍ଣବଙ୍କର ରହିଥିଲା। ବିଜେଡି ପକ୍ଷରୁ ଆଜି ୨ଟି ଆସନ ପାଇଁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତୃତୀୟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିଲା ବିଜେଡି। ଆଉ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ଏହି ଆସନରୁ ଗତଥର ଭଳି ଅଶ୍ୱିନୀ ବୈଷ୍ଣବ ବିଜେପିରୁ ପ୍ରାର୍ଥୀ ହେବେ ଓ ବିଜେଡି ତାଙ୍କୁ ସମର୍ଥନ ଦେଇ ରାଜ୍ୟସଭାକୁ ପଠାଇବ। ତେବେ ଏଭଳି ହେଲେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିଜେପିକୁ ନବୀନ ପଟ୍ଟନାୟକଙ୍କ ସବୁଠାରୁ ମହଙ୍ଗା ଭେଟି ହେବ।

ତେବେ ଦୀର୍ଘଦିନ ଧରି ଅଶ୍ୱିନୀ ବୈଷ୍ଣବ କଟକରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏବେ ସେ ରାଜ୍ୟସଭାକୁ ଯିବେ ବୋଲି ସୂଚନା ମିଳିଛି।

Related Posts