ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୩ ହାଜର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଗଞ୍ଜାମ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ଏଏସଆଇ ମାନସ କୁମାର ରାଉତ । ମାନସଙ୍କୁ ବ୍ରହ୍ମପୁର ଭିଜିଲ୍ଲାନ୍ସ ଅଟକ ରଖି ପଚରାଉଚରା କରୁଛି । ଆଉ ଏହି ପୋଲିସ ବାବୁଙ୍କୁ ଧରା ପକାଇ ଦେଇଛନ୍ତି ସ୍ଥାନୀୟ ଅଞ୍ଚଳର ଯୁବକ ସ୍ୱାଧୀନ ବିଷୋୟୀ । ସେପଟେ ସ୍ୱାଧୀନଙ୍କୁ କିଛି ବ୍ୟକ୍ତି ଧମକ ଦେଉଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ଭେଜିପୁଟ ଫାଣ୍ଡିରେ ଅଭିଯୋଗ କରିଥିଲେ । ହେଲେ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।
ତେଣୁ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିବା ପାଇଁ ଏଏସଆଇ ମାନସ କୁମାର ରାଉତ ସ୍ୱାଧୀନଙ୍କୁ ୫ ହଜାର ଟଙ୍କା ଦେବାକୁ କହିଥିଲେ । ପରେ ମୁଲଚାଲ ପରେ ୩ ହଜାରରେ କଥା ଛିଡିଥିଲା । ହେଲେ ପୂର୍ବ ଯୋଜନା ମୁତାବକ ଟଙ୍କା ଦେବା ପୂର୍ବରୁ ଭିଜିଲାନ୍ସଙ୍କୁ ସୂଚନା ଦେଇଥିଲେ ସ୍ୱାଧୀନ । ଗତାକାଲି ସ୍ୱାଧୀନ ଟଙ୍କା ନେଇ ଏଏସଆଇଙ୍କୁ ଦେଉଥିବା ବେଳେ ପହଞ୍ଚି ଯାଇଥିଲେ ଭିଜିଲାନ୍ସର ୫ ଜଣିଆ ଟିମ୍ । ଭିଜିଲାନ୍ସ ଉକ୍ତ ଟଙ୍କା ଜବତ କରିଥିବା ବେଳେ ପୋଲିସ ବାବୁଙ୍କୁ ମାଡ଼ି ବସିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





