ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା ୧୩ରେ ହେବ ବାଚସ୍ପତି ନିର୍ବାଚନ । ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ବାଚସ୍ପତି ନିର୍ବାଚନ ନେଇ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ କରାଯିବ । ତେବେ ଓଡିଶା ବିଧାନସଭାର ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡିର ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ନାମାଙ୍କନ ଦାଖଲ କରିପାରନ୍ତି । ପୂର୍ବତନ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ରଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲି ପଡିଥିଲା ।
ଗତ ୪ ତାରିଖ ଦିନ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଇସ୍ତଫା ଦେଇଥିଲେ । ଉପବାଚସ୍ପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଥିଲେ । ଅସୁସ୍ଥତା କାରଣରୁ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।





