ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଜି ଆଉ ଏକ ବଡ଼ ଝଟକା ଲାଗିଛି। ତାଙ୍କ ଦଳର ୨୦ ଜଣ ସାଂସଦ ଏନଡିଏରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, TMC ସାଂସଦ କାକୋଲି ଦସ୍ତିଦାର କହିଛନ୍ତି ଯେ, ତାଙ୍କ ସମେତ ୨୦ ଜଣ ସାଂସଦ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କାକୋଲି ଦସ୍ତିଦାର କହିଛନ୍ତି ଯେ, ସେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳକୁ ଗ୍ରହଣ କରିଛନ୍ତି ଏବଂ ବିଶ୍ୱାସ କରନ୍ତି ଯେ ଏନଡିଏ ସହିତ ତାଙ୍କର ରାଜନୈତିକ ଭବିଷ୍ୟତ ଅଧିକ ସୁରକ୍ଷିତ। ଆଜି ପୂର୍ବାହ୍ନରେ ଦଳ ଭିତରେ ବିଭାଜନ ହେବାର କଳ୍ପନାଜଳ୍ପନା ମଧ୍ୟରେ, ସୁଖେନ୍ଦୁ ରାୟ ଏବଂ କାକୋଲି ଦସ୍ତିଦାରଙ୍କ ନେତୃତ୍ୱରେ ୧୫ ଜଣ ଟିଏମସି ସାଂସଦ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ଘରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିଥିଲେ।

ଏହି ସାଂସଦ ମାନେ ଲୋକସଭାରେ NDA ସଦସ୍ୟଙ୍କ ସହ ସେମାନଙ୍କ ବସିବା ବ୍ୟବସ୍ଥା ପାଇଁ ବାଚସ୍ପତିଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିଥିବା ସାଂସଦ ମାନଙ୍କ ମଧ୍ୟରେ କାକୋଲି ଦସ୍ତିଦାର, ପାର୍ଥ ଭୌମିକ, ଜଗଦୀଶ ବାସୁନିଆ, ଶତାବ୍ଦୀ ରାୟ, ରଚନା ବାନାର୍ଜୀ, କାଳୀପଦ ସୋରେନ, ଅରୂପ ଚକ୍ରବର୍ତ୍ତୀ, ଅସିତ ମାଲ, ଶତ୍ରୁଘ୍ନ ସିହ୍ନା, ପ୍ରସୁନ ବାନାର୍ଜୀ, ପ୍ରତିମା ମଣ୍ଡଳ ଏବଂ ବାପା ହାଲିଦାର ପ୍ରମୁଖ ରହିଥିଲେ।

ଆଜି ସକାଳେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ, ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଆଜି ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ନେତାଙ୍କ ଏକ ବୈଠକରେ ଯୋଗ ଦେଇଥିବା ବେଳେ, ଅନ୍ୟପଟେ ଅସନ୍ତୁଷ୍ଟ ତୃଣମୂଳ କଂଗ୍ରେସ ସାଂସଦମାନେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ପଶ୍ଚିମବଙ୍ଗ ନିର୍ବାଚନ ପ୍ରଭାରୀ ଭୂପେନ୍ଦ୍ର ଯାଦବଙ୍କ ମୋତିଲାଲ ନେହେରୁ ମାର୍ଗ ବାସଭବନରେ ଏକାଠି ହୋଇଥିଲେ। ଏହି ବୈଠକରୁ ହିଁ ଦଳୀୟ ସାଂସଦ ମାନଙ୍କ ବିଦ୍ରୋହ ନେଇ ଆକଳନ କରାଯାଉଥିଲା । ପୂର୍ବରୁ TMC ର 80 ବିଧାୟକଙ୍କ ଅମଧ୍ୟରୁ 60 ଜଣ ବିଦ୍ରୋହ କରି ବିରୋଧୀ ଦଳ ନେତା ପଦ ନେଇଯାଇଛନ୍ତି |