କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି, ଲଢ଼ିପାରିବେ ନିର୍ବାଚନ

ଭୁବନେଶ୍ୱର,୮/୪ (ସତ୍ୟପାଠ ବ୍ୟୁରୋ): କୋଇଲା ଦୁର୍ନୀତି ମାମଲାରେ ଫସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଛି ଆଶ୍ୱସ୍ତି । ୪ ବର୍ଷ ତଳେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୩ ବର୍ଷ ଜେଲଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଥିଲେ । ଏହା ତାଙ୍କର ଭବିଷ୍ୟତ ରାଜନୈତିକ କ୍ୟାରିୟରକୁ ଅନ୍ଧାରକୁ ଟାଣି ନେଇଥିଲା । ଦିଲ୍ଲୀପ ହାଇକୋର୍ଟରେ ଏହି ରାୟକୁ ଚାଲେଂଜ କରିଥିଲେ । ହାଇକୋର୍ଟ ଏହି ମାମଲାର ବିଚାର କରି ତଳକୋର୍ଟ ଆଦେଶ ଉପରେ ଆଜି ରହିତାଦେଶ ଜାରି କରିଛନ୍ତି । ଏହି ରହିତାଦେଶ ଯୋଗୁଁ ଦିଲ୍ଲୀପ ରାୟଙ୍କ ନିର୍ବାଚନ ଲଢ଼ିବା ନେଇ ରହିଥିବା ବାଧକ ହଟିଯାଇଛି । ସେ ଏବେ ନିର୍ବାଚନ ଲଢ଼ିପାରିବେ ।

୧୯୯୯ ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଦିଲ୍ଲୀପ ରାୟ ଥିଲେ କୋଇଲା ରାଷ୍ଟ୍ରମନ୍ତ୍ରୀ । ତାଙ୍କ ମନ୍ତ୍ରିତ୍ୱ କାଳରେ ସେ ଏକ କୋଇଲା ସ୍କାମ୍ ରେ ଫସିଥିଲେ । ଝାଡ଼ଖଣ୍ଡର କ୍ରାଷ୍ଟନ୍ ଟେକ୍ନୋଲୋଜି ଲିମିଟେଡକୁ ଏକ କୋଲ୍ ବ୍ଲକ୍ ମିଳିଥିଲା । ଏହି କୋଲ୍ ବ୍ଲକ୍ ଆବଣ୍ଟନରେ ପ୍ରବଳ ଅନିୟମିତତା ନେଇ ପରବର୍ତ୍ତୀ ସମୟରେ ଅଭିଯୋଗ ହେବା ପରେ ସିବିଆଇ ଏହାର ତଦନ୍ତ କରିଥିଲା । ଏହି ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ୨୦୨୦ ଅକ୍ଟୋବରରେ ଦଣ୍ଡାଦେଶ ଶୁଣାଇଥିଲେ ।

ଦିଲ୍ଲୀପ ରାୟଙ୍କ ସମେତ କୋଇଲା ମନ୍ତ୍ରଣାଳୟର ଦୁଇ ପ୍ରମୁଖ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଏବଂ ନିତ୍ୟାନନ୍ଦ ଗୌତମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ସହ ୧୦ ଲକ୍ଷ ଲେଖାଏଁ ଜରିମାନା କରିଥିଲେ । ଦିଲ୍ଲୀପଙ୍କ ବିରୋଧରେ ଲୋକପ୍ରତିନିଧି ଆଇନ ଧାରା ୮(୩) ଲାଗିଥିବାରୁ ସେ କୌଣସି ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ସିବିଆଇ କୋର୍ଟ କହିଥିଲେ । ତେବେ ସିବିଆଇ ସ୍ୱତନ୍ତ୍ର କୋର୍ଟଙ୍କ ଆଦେଶକୁ ଚାଲେଂଜ କରି ଦିଲ୍ଲୀପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ବିଚାର କରି ତଳକୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି ।

Related Posts