ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): NDA ବୈଠକରେ ବଡ ନିଷ୍ପତ୍ତି; ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପକୁ ମିଳିଲା ମଞ୍ଜୁରି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରର ୧୨ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର କ୍ୟାବିନେଟର ବୈଠକ ହୋଇଛି । ଏହି ବୈଠକରେ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରୋଜେକ୍ଟ ବିସ୍ତାର ସହ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ଅହମଦାବାଦ ମେଟ୍ରୋର ଫେଜ୍ ୨ଏ ଅଧିନରେ ୬ କିଲୋମିଟର କରିଡୋରକୁ ମଞ୍ଜୁରି ଦେଇଛି । ଏଥିରେ ପାଞ୍ଚଟି ନୂଆ ଷ୍ଟେସନ ନିର୍ମାଣ କରାଯିବ । ଏହା ସହ ଆନ୍ଧ୍ର ପ୍ରଦେଶର ଅମରାବତୀ ସହ ଜଡ଼ତ ଅନେକ ବଡ଼ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ଦିଆଯାଇଛି ।

କେନ୍ଦ୍ର ପକ୍ଷରୁ ଅମରାବତୀ ପାଇଁ ଦୁଇଟି ବଡ଼ ଇନଫ୍ରାକ୍ଟଚର ପ୍ରୋଜେକ୍ଟ ଘୋଷଣା କରାଯାଇଛି । ଏଥିରେ ୨୩.୨୫ ଲକ୍ଷ ବର୍ଗ ଫୁଟ୍ ଅଞ୍ଚଳରେ ୧୨୯୯ କୋଟି ଟଙ୍କା ଖର୍ଚ୍ଚରେ ସେଣ୍ଟ୍ରାଲ୍ ଗଭରମେଣ୍ଟ ଜେନେରାଲ୍ ପୁଲ୍ ଅଫିସ ଅକୋମଡେସନ ସାମିଲ ରହିଛି ।ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ପ୍ରାୟ ୨,୧୬୯ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହା ପ୍ରାୟ ୨୫୦୦ ଲୋକଙ୍କ ପାଇଁ ନିଯୁକ୍ତି ମଧ୍ୟ ସୃଷ୍ଟି କରିବ ।

ପ୍ରକଳ୍ପ ଶେଷ ହେବା ପରେ, ଅହମ୍ମଦାବାଦ-ଗାନ୍ଧୀନଗର ମେଟ୍ରୋ ରୁଟ୍ ୭୭.୬୩ କିଲୋମିଟର ଲମ୍ବ ହେବ । ଅହମ୍ମଦାବାଦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ପାଇଁ ପ୍ରସ୍ତୁତ କରୁଛି । ମେଟ୍ରୋର ଏହି ବିସ୍ତାର ପ୍ରସ୍ତାବିତ କମନୱେଲ୍ଥ ଏନକ୍ଲେଭକୁ ଏୟାରପୋର୍ଟ ସହ ଯୋଡ଼ିବ । ଏହାଦ୍ୱାରା ଖେଳାଳି, ଅଧିକାରୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ଉନ୍ନତ ଯାତ୍ରା ସୁବିଧା ମିଳିବ । ସରକାରଙ୍କ ଅନୁସାରେ, ନୂଆ ମେଟ୍ରୋ କରିଡୋର ଅହମଦାବାଦ, ଗାନ୍ଧୀନଗର, ଗିଫ୍ଟ ସିଟି ଏବଂ ଏୟାରପୋର୍ଟ ମଧ୍ୟରେ ଉନ୍ନତ ଯୋଗାଯୋଗ ସ୍ଥାପନ ହୋଇପାରିବ ।