ସରିଲା ବିଜୁ ଲିଗାସି, ଆରମ୍ଭ ହେଲା ନବୀନ ଲିଗାସି

ଭୁବନେଶ୍ୱର,୨୫/୨(ସତ୍ୟପାଠ ବ୍ୟୁରୋ): ଶୁକ୍ରବାର ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨ ଲକ୍ଷ ୩୦ ହାଜର କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ବିଶ୍ଳେଷଣ କଲେ ଜଣାପଡିବ ଯେ, ରାଜ୍ୟ ସରକାର ଓ ବିଜୁ ଜନତା ଦଳ ପକ୍ଷରୁ ଏକ ବିରାଟ ରାଜନୈତିକ ବାର୍ତ୍ତା ରାଜ୍ୟବାସୀଙ୍କୁ ଦେବାକୁ ଚେଷ୍ଟା କରାଯାଇଛି। ୨୦୦୦ ମସିହାରୁ ନବୀନ ବାବୁ ସରକାରକୁ ଆସିବା ଦିନ ଠାରୁ ଏପର୍ଯ୍ୟନ୍ତ ଦୀର୍ଘ ୨୩ ବର୍ଷ ଧରି ରାଜ୍ୟ ସରକାରଙ୍କ ତରଫରୁ ଯେତେବି ଯୋଜନା ଅଣାଯାଇଛି ପ୍ରାୟ ପ୍ରତ୍ୟେକ ଯୋଜନାରେ ଗୋଟିଏ ଜିନିଷ ସମାନ ରହିଥିଲା ତାହା ହେଲା ବିଜୁ ପଟ୍ଟନାୟକଙ୍କ ନାଁ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ପକ୍କା ଘର, ବିଜୁ ଗାଁ ଗାଡି ଯୋଜନା, ବିଜୁ ଯୁବ ସଶକ୍ତିକରଣ ଯୋଜନା, ବିଜୁ ସେତୁ ଯୋଜନା ଆହୁରି ଏପରି ଅନେକ ଯୋଜାନ ଆସିଛି। ଏପରିକି ବିଜୁ ଜନତା ଦଳର ନାଁ ମଧ୍ୟ ବିଜୁ ବାବୁଙ୍କ ନାଁରୁ ଆରମ୍ଭ। ତେବେ ବିଜୁ ବାବୁଙ୍କ ନାଁକୁ ଧରି ରାଜ୍ୟରେ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଶାସନରେ ରହି ଆସିଥିବା ନବୀନ ବାବୁଙ୍କ ସରକାରର ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ମାଧ୍ୟମରେ ଯେଉଁ ରାଜନୈତିକ ବାର୍ତ୍ତାଟି ଦେବାକୁ ଚେଷ୍ଟା କରାଯାଇଛି ତାହା ହେଲା, ଏବେଠାରୁ ବିଜୁ ଜନତା ଦଳରେ ବିଜୁ ବାବୁଙ୍କ ଲିଗାସି ସରିଲା ଆଉ ନବୀନ ପଟ୍ଟନାୟକଙ୍କ ଲିଗାସିର ଆରମ୍ଭ ହେଲା। ଆଉ ବିଜୁ ବାବୁଙ୍କ ନାଁର ଆବଶ୍ୟକତା ନାହିଁ, ଏଣିକି ନବୀନ ବାବୁଙ୍କ ନାଁକୁ ବିଜୁ ଜନତା ଦଳ ଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସାମ୍ନାକୁ ଅଣାଯିବ ବୋଲି ଏହି ବଜେଟରୁ ଜଣାପଡ଼ୁଛି। ଚଳିତ ବଜେଟରେ ରାଜ୍ୟ ସରକାର ଆଣିଥିବା ୨୦ଟି ନୂଆ ଯୋଜନା ମଧ୍ୟରୁ ଗୋଟିଏ ବି ନୂଆ ଯୋଜନାରେ ବିଜୁ ବାବୁଙ୍କ ନାଁ ନାହିଁ। ଆଉ ସବୁଠାରୁ ବଡ଼ କଥାଟି ହେଲା ଏହି ୨୦ଟି ନୂଆ ଯୋଜନା ମଧ୍ୟରୁ ୯ଟି ଯୋଜନା କେନ୍ଦ୍ରର ମୋଦି ସରକାରଙ୍କ ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନାଁରୁ ଆରମ୍ଭ ହୋଇଛି।

ଏହି ୯ଟି ନୂଆ ଯୋଜନାକୁ ଦେଖିବାକୁ ଗଲେ ପ୍ରଥମେ ଶିକ୍ଷା କ୍ଷେତ୍ରରେ ଅଣାଯାଇଛି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା। ଏଥିପାଇଁ ୧୩୯ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ସେହିଭଳି ଉଚ୍ଚଶିକ୍ଷା କ୍ଷେତ୍ରରେ ଅଣାଯାଇଛି ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ରବୃତ୍ତି ଯୋଜନା’। ଏହି ଯୋଜନା ମାଧ୍ୟମରେ ସ୍ନାତକ, ସ୍ନାତକୋତ୍ତର ଓ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା ଗ୍ରହଣ କରୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି ବଜେଟରେ କୁହାଯାଇଛି। ସେହିଭଳି ଆଉ ଏକ ଯୋଜନା ହେଲା ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’। ଏହି ଯୋଜନାରେ ୧୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ‘ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ଯୋଜନା’, ଏହି ଯୋଜନାରେ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେହିଭଳି ଶକ୍ତି କ୍ଷେତ୍ରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆଗରେ ରଖା ଯାଇଛି। ‘ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ’ ନାମରେ ଏକ ନୂଆ ଯୋଜନା ଅଣାଯାଇଥିବା ବେଳେ ଏଥିପାଇଁ ୧୪୪୬ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ପୋଷଣକୁ ନେଇ ଆସିଥିବା ନୂଆ ଯୋଜନା ହେଉଛି ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୃଷ୍ଟି ଯୋଜନା’। ଏଥିପାଇଁ ବଜେଟରେ ୨୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେହିଭଳି ‘ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧ ଲୁଣିବନ୍ଧ’, ଏହା ଏକ ନୂଆ ଯୋଜନା। ଏଥିପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆଉ ଏକ ନୂଆ ଯୋଜନା ଆସିଛି ‘ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଯୋଜନା’। ଏଥିପାଇଁ ୨୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସେହିଭଳି ଚଳିତ ବଜେଟରେ ମତ୍ସ୍ୟଜୀବୀମାନଙ୍କ ପାଇଁ ‘ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ନାମରେ ଏକ ନୂଆ ଯୋଜନା ଆସିଛି।

ତେବେ ଶାସନକୁ ଆସିବା ଦିନଠୁ ବିଜୁ ବାବୁଙ୍କ ନାଁ କୁ ନେଇ ଚାଲିଥିବା ନବୀନ ବାବୁଙ୍କ ସରକାର ଏହି ବଜେଟରେ ଆଣିଥିବା ପାଖାପାଖି ୨୦ଟି ନୂଆ ଯୋଜନାରୁ ଗୋଟିଏ ରେ ବି ତାଙ୍କ ନାଁ ନ ରଖିବା ଆଉ ୯ଟି ନୂଆ ଯୋଜନା ମୁଖ୍ୟମନ୍ତ୍ରୀଙ୍କ ନାଁ ରେ ଆରମ୍ଭ କରିବା ସୂଚାଇ ଦେଉଛି ଯେ, ବିଜୁ ଜନତା ଦଳ ଏଣିକି ବିଜୁ ବାବୁଙ୍କ ନାଁ କୁ ଛାଡି ନବୀନ ବାବୁଙ୍କୁ ନେଇ ଆଗକୁ ଯିବାକୁ ଚାହୁଁଛି। ଆଉ ଏହାର ସ୍ପଷ୍ଟ ଝଲକ ୨୦୨୪ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିବ। ତେବେ ବିଜୁ ଜନତା ଦଳ ଯେଭଳି ବିଗତ ୨୩ ବର୍ଷ ହେଲା ବିଜୁଙ୍କ ଲିଗାସିକୁ ନେଇ ନବୀନ ବାବୁଙ୍କ ନେତୃତ୍ଵରେ ଶାସନ କରି ଆସୁଛି ଏବେ ନବୀନ ଲିଗାସି ଆରମ୍ଭ ହେବା ପରେ ସେହି ନବୀନ ବାବୁଙ୍କ ନେତୃତ୍ଵରେ ଆଗକୁ ବଢିବ ନା ନବୀନଙ୍କ ନାଁ କୁ ନେଇ ଆଉ କିଏ ଉତ୍ତରାଧିକାରୀ ବିଜୁ ଜନତା ଦଳର ନେତୃତ୍ବ ନେବେ ତାହା ଦେଖିବାକୁ ବାକି ରହିଲା।

Related Posts