ଭୁବନେଶ୍ଵର,୨୫/୨(ସତ୍ୟପାଠ ବ୍ୟୁରୋ): ଏଣିକି ରାଜ୍ୟର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସରକାର ୟୁନିଫର୍ମ ଯୋଗାଇ ଦେବେ। ଆସନ୍ତା ଶିକ୍ଷା ବର୍ଷରୁ ଏହା ପ୍ରଦାନ କରାଯିବ। ସ୍କୁଲ୍‌ ୟୁନିଫର୍ମ ଓ ଆନୁଷଙ୍ଗିକ ସାମଗ୍ରୀର ବ୍ୟବସ୍ଥା ପାଇଁ ପୂର୍ବରୁ ସହାୟତା ରାଶି ୬୦୦ ଟଙ୍କା ମିଳୁଥିଲା ବେଳେ ଏବେ ଏକ ହଜାର ଟଙ୍କା ମିଳିବ। ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍‌ରେ ଏହି ବ୍ୟବସ୍ଥା ରଖାଯାଇଛି।

ଶିକ୍ଷା‌ କ୍ଷେତ୍ର ପାଇଁ ରାଜ୍ୟ ବଜେଟ୍‌ର ୧୨.୩% ଅର୍ଥାତ ୩୦,୦୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତାହା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨,୫୨୮ କୋଟି, ଉଚ୍ଚଶିକ୍ଷା ବିଭାଗ ପାଇଁ ୩,୧୭୩ କୋଟି ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି ଟଙ୍କା ଦିଆଯାଇଛି। ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ନାମରେ ଆରମ୍ଭ ହେବାକୁ ଥିବା ନୂଆ ଯୋଜନା ପାଇଁ ୧୩୯ କୋଟି ଟଙ୍କା ରଖାଯାଇଛି। ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲ୍ଲା, ବ୍ଲକ୍‌, ସ୍କୁଲ୍‌, ପ୍ରଧାନ ଶିକ୍ଷକ, ପଞ୍ଚାୟତ ପ୍ରତିନିଧି, ଶିକ୍ଷା ଅଧିକାରୀ, ପୁରାତନ ଛାତ୍ର କମିଟିକୁ ପୁରସ୍କୃତ କରାଯିବ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୮୧୧ କୋଟି, ଗଙ୍ଗାଧର ମେହେର ଶିକ୍ଷା ମାନକ କୃଷି ଯୋଜନାରେ ୧୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟରେ ୬୦୭୫ ଏଲ୍‌ଟିଆର୍ ପଦବି ସୃଷ୍ଟି ହେବ। ମାଧ୍ୟମିକ ବିଦ୍ୟାଳୟରେ ୭୫୪୦ ଜଣ ନିୟମିତ ଶିକ୍ଷକ ନିଯୁକ୍ତି ପାଇବେ। ୧୭୯୯ କନିଷ୍ଠ ସହାୟକ ଓ ୩୩୫ ଜଣ ପିଜିଟି ନିଯୁକ୍ତି ପାଇବେ। ୧୦୬ଟି ହାଇସ୍କୁଲ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ ହେବ। ସେହିଭଳି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସାଇକେଲ୍‌ ବାବଦକୁ ୨୬୦୦ ଟଙ୍କା ମିଳିଥିବା ବେଳେ ଏବେ ତାହାକୁ ବୃଦ୍ଧି କରି ୩୫୦୦ ଟଙ୍କା କରାଯାଇଛି।

ସେହିଭଳି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୧୬୩ କୋଟି, ମୋ କଲେଜ ଅଭିଯାନ ପାଇଁ ୧୭୦ କୋଟି ରଖାଯାଇଛି। ୨୦୨୩ ଡିସେମ୍ବର ସୁଦ୍ଧା ଓଡ଼ିଆ ବିଶ୍ବବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବା ପାଇଁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ ଅନୁଷ୍ଠାନରେ ପରିଣତ କରିବା ପାଇଁ ୫ ବର୍ଷ ମଧ୍ୟରେ ଯଥାକ୍ରମେ ୨୦୦୦ କୋଟି ଓ ୧୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲ୍‌ରେ ରହୁଥିବା ଅନ୍ତେବାସୀଙ୍କୁ ଉପୁଯକ୍ତ ପୋଷଣ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କୁ ଏଣିକି ସପ୍ତାହକୁ ୪ ଦିନ ଅଣ୍ଡା ଏବଂ ଗୋଟିଏ ଦିନ ମାଛ କିମ୍ବା ଚିକେନ୍ ପ୍ରଦାନ କରାଯିବ। ଏଥି ପାଇଁ ବାର୍ଷିକ ପିଲା ପିଛା ଅତିରିକ୍ତ ଏକ ହଜାର ଟଙ୍କା ଖର୍ଚ୍ଚ ହେବ।