ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲା ବିଇଓ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲା ବିଇଓ । ତେବେ ଶିକ୍ଷକମାନଙ୍କ ବକେୟା ଦରମା ଉପରେ ମୋହର ମାରିବାକୁ ଲାଞ୍ଚ ନେଉଥିବା ବେଳେ ବରଗଡ଼ ଜିଲ୍ଲା ଝାଡ଼ବନ୍ଧ ବ୍ଲକର ଶିକ୍ଷା ଅଧିକାରୀ ରଣଜୀତ ଭୋଇଙ୍କୁ ଧରିଛି ଭିଜିଲାନ୍ସ। ସେ ଅଭିଯୋଗକାରୀ( ଜଣେ ପ୍ରଧାନଶିକ୍ଷକ)ଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ କାରବାର ବେଳେ ହିଁ ତାଙ୍କୁ ଭିଜିଲାନ୍ସ ଧରିଛି ଓ ୫ ହଜାର ଟଙ୍କା ତାଙ୍କ ଠାରୁ ଜବତ କରିଛି।ଶ୍ରୀ ଭୋଇ କିଛି ଦିନ ତଳେ ନିୟମିତ ସ୍କୁଲ ଆସୁ ନଥିବା ଶିକ୍ଷକମାନଙ୍କ ଦରମାକୁ ବନ୍ଦ କରି ଦେଇଥିଲେ। ତେବେ ଏହାପରେ ଦରମା ଫାଇଲ ଉପରେ ମୋହର ମାରିବା ପାଇଁ ସେ ୫ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ।

ଏହାକୁ କିନ୍ତୁ କିଛି ସଚ୍ଚୋଟ ଶିକ୍ଷକମାନେ ବିରୋଧ କରିବା ସହ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲା। ଭିଜିଲାନ୍ସ ଏହି ଖବର ପାଇବା ପରେ ଶ୍ରୀ ଭୋଇଙ୍କୁ ଲାଞ୍ଚ ନେବା ବେଳେ ଧରିବାକୁ ଯୋଜନା କରିଥିଲା। ଯୋଜନା ମୁତାବକ ଜଣେ ପ୍ରଧାନଶିକ୍ଷକ ନିଜ ସ୍କୁଲର ଶିକ୍ଷକମାନଙ୍କ ଦରମା ଟଙ୍କା ରିଲିଜ୍ କରିବା ପାଇଁ ୫ ହଜାର ଟଙ୍କା ଧରି ଶ୍ରୀ ଭୋଇଙ୍କ ପାଖରେ ପହଞ୍ଚିଥିଲେ। ତେବେ ସେ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହଠାତ୍ ସେଠାରେ ପହଞ୍ଚି ଯାଇଥିଲା। ଘଟଣା ପରେ ସମ୍ବଲପୁର ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related Posts