ଭୁବନେଶ୍ୱର, ୦୯/୭/୨୦୨୬: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ଥିବା ବେଳେ ବିଜେପି ସରକାର ତାହାର ସଂଶୋଧନ କରୁନାହିଁ । ଯାହା ଫଳରେ ରାଜ୍ୟର ପ୍ରାକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାକୁ ଗଲାଣି । ଏହାକୁ ବିରୋଧ କରି ବିଜେଡି ପକ୍ଷରୁ ଜୁଲାଇ ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ଶିକ୍ଷା ବଞ୍ଚାଅ ଆନେ୍ଦାଳନ ହେଉଛି । ପ୍ରଥମ ଦିନରେ ବାରିପଦାରୁ ପ୍ରତିବାଦ ଆରମ୍ଭ ହୋଇଛି । ବର୍ଷା ସତ୍ତ୍ୱେ ହଜାର ହଜାର ଯୁବ ଓ ଛାତ୍ରଙ୍କ ସମାଗମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁ ଉପସ୍ଥିତ ରହିଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି ରହିଛି । କିନ୍ତୁ ବିଜେପି ନିଜ ଦୋଷକୁ ସ୍ୱୀକାର କରି ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରିବାରେ ନାରାଜ ରହିଛି । ଯାହାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ବିରୋଧ କରି ରାଜ୍ୟବ୍ୟାପୀ ଆନେ୍ଦାଳନ କରୁଛି ।

ଜାତୀୟ ଶିକ୍ଷା ନୀତି (ଏନଇପି)-୨୦୨୦ ଅନୁସାରେ ୧ମ ରୁ ୮ମ ଶ୍ରେଣୀ ପାଠ୍ୟପୁସ୍ତକରେ ଅଭୂତପୂର୍ବ ବ୍ୟାପକ ତ୍ରୁଟି ରହିଛି । ପାଠ୍ୟ ପୁସ୍ତକ ପ୍ରକାଶ ଆଳରେ ୩୮୦ କୋଟି ମୂଲ୍ୟର ପ୍ରିଣ୍ଟିଂରେ ଦୁର୍ନୀତି ହୋଇଛି । ଉକ୍ତ ଦୁର୍ନୀତି ନେଇ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ନେଇ ବିଜେଡି ପକ୍ଷରୁ ପୂର୍ବରୁ ବିଭିନ୍ନ ଫୋରମ୍ ଜରିଆରେ ଦାବି କରାଯାଇଛି । ତଦନ୍ତ ଜରିଆରେ ସତ୍ୟ ସର୍ବସମ୍ମୁଖକୁ ଆସିଲେ ଦୋଷୀ ବ୍ୟକ୍ତି, ଅଧିକାରୀ ଓ ଏଜେନ୍ସି ଉପରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ବିଜେଡି ଦାବି କରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଆଉ ୨/୩ ମାସ ପରେ ପିଲାଙ୍କ ପରୀକ୍ଷା ରହିଛି । କିନ୍ତୁ ତ୍ରୁଟି ପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର ହୋଇନି । ଏହି ତ୍ରୁଟି ପୂର୍ଣ୍ଣ ପୁସ୍ତକ ପଢିି ପରୀକ୍ଷା ଦେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହେବ । କିନ୍ତୁ ବିଜେପି ସରକାର ଏଥିପ୍ରତି ଯତ୍ନଶୀଳ ନହୋଇ ପିଲାଙ୍କ ଭବିଷ୍ୟତ ସହ ଖେଳୁଛି । ତକ୍ରାଳିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ୫-ଟି ଯୋଜନା ପାଇଁ ଓଡ଼ିଶା ସବୁଠି ପ୍ରଶଂସିତ ହୋଇଥିବା ବେଳେ ଆଜି ତ୍ରୁଟି ପୂର୍ଣ୍ଣ ପୁସ୍ତକ ପାଇଁ ଜାତୀୟ ସ୍ତରରେ ନିନ୍ଦିତ ହେଉଛି । ବିଜେଡି କହିଛି ଯେ, ନୂତନ ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ବ୍ୟାପକ ଭୁଲ୍ କେବଳ ପ୍ରଶାସନିକ ଅବହେଳା ନୁହେଁ ବରଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଗତ ଭବିଷ୍ୟତ ଉପରେ ସିଧା ଆକ୍ରମଣ । ଏହିପରି ଗମ୍ଭୀର ପ୍ରସଙ୍ଗ ସତ୍ତ୍ୱେ ରାଜ୍ୟ ସରକାର, ମନ୍ତ୍ରୀ ଓ ଦାୟୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି ଦଳ ଅଭିଯୋଗ କରିଛି । ଏହାର ପ୍ରତିବାଦରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିରାଟ ପ୍ରତିବାଦ ପ୍ରଦର୍ଶନ ହୋଇଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶ ପୁତ୍ତଳିକାକୁ ଏକ କୋକେଇରେ ବୋହି ନିଆରା ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଉପସ୍ଥିତ ନେତୃତ୍ୱ ମାନେ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କ ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟମନ୍ତ୍ରୀ ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ଓ ପାଠ୍ୟପୁସ୍ତକ ବିବାଦରେ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଓ ତଦନ୍ତ ନେଇ ଦାବି କରାଯାଇଛି । ଶିକ୍ଷା ସମାଜର ଆଧାର, ପାଠ୍ୟପୁସ୍ତକ ଗୁଣବତ୍ତା ସହ କୌଣସି ବୁଝାମଣା କରାଯିବ ନାହିଁ । ଏହି ପାଠ୍ୟ ପୁସ୍ତକ ଗୁଡ଼ିକ ମୁଦ୍ରଣ ଓ ପ୍ରକାଶନ ପ୍ରକ୍ରିୟାରେ ପ୍ରାୟ ୩୮୦ କୋଟି ଟଙ୍କାର ଗୁରୁତର ଅନିୟମିତତା ଓ ଦୁର୍ନୀତି ଘଟିଛି । ସମଗ୍ର ଘଟଣାର ସତ୍ୟାସତ୍ୟ ଉନ୍ମୋଚନ, ଦୋଷୀ ମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ସିବିଆଇ ତଦନ୍ତ ମଧ୍ୟ ଦାବି କରିଛି । ଏହାସହ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ମୁଦ୍ରଣ ପାଇଁ ଜନସାଧାରଣଙ୍କ ଅର୍ଥରୁ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ସଂପୃକ୍ତ ଅଧିକାରୀ, ସଂସ୍ଥା ଓ ଦୋଷୀ ବ୍ୟକ୍ତିଙ୍କ ଠାରୁ ଆଦାୟ କରିବାକୁ ଦଳ ଦାବି କରିଛି । ବିଳମ୍ୱ ନ କରି ଛାତ୍ରଛାତ୍ରୀଙ୍କୁ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ଯୋଗାଇବାକୁ ଦାବି କରିଛି । ଏନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ନୈତିକ ଆଧାରରେ ଇସ୍ତଫା ଦେବା ପାଇଁ ବିଜେଡି ଦାବି କରିଛି । ବିଜୁ ଜନତା ଦଳ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥର ସୁରକ୍ଷା, ଓଡ଼ିଆ ଭାଷାର ଗରିମା ସଂରକ୍ଷଣ ଏବଂ ରାଜ୍ୟବାସୀଙ୍କ ଭବିଷ୍ୟତକୁ ପ୍ରଭାବିତ କରୁଥିବା ପ୍ରତ୍ୟେକ ଅବହେଳା ପାଇଁ ଲଢ଼େଇ ଜାରି ରଖିବ ବୋଲି କହିଛନ୍ତି । ଏନେଇ ଆଗକୁ ପଦକ୍ଷେପ ଗ୍ରହଣ ନକରିଲେ ବିଜେଡି ପକ୍ଷରୁ ଆନେ୍ଦାଳନ ଆହୁରି ତୀବ୍ର କରାଯିବ ବୋଲି କୁହାଯାଇଛି ।

ବାରିପଦା ପୌର ପରିଷଦର ନଗରପାଳ ତଥା ଜିଲ୍ଲା ବିଜେଡିର ଉପସଭାପତି କୃଷ୍ଣାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ସୁଦାମ ମାରାଣ୍ଡି, ପୂର୍ବତନ ଉପସଭାପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ରାଜକିଶୋର ଦାସ, ଶ୍ରୀନାଥ ସୋରେନ, ଗଣେଶ୍ୱର ପାତ୍ର, ଜିଲ୍ଲା ପରିଷଦ ସଭାନେତ୍ରୀ ଭାରତୀ ହାଂସଦା, ରାଜ୍ୟସଂପାଦକ ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, ସୀମା ଦାସ, ଚକ୍ରଧର ହେମ୍ବ୍ରମ, ରାଇସେନ ମୁର୍ମୁ, ପ୍ରୀତିନନ୍ଦ କାନୁନଗୋ, ଅରୁପ ଶ୍ରୀଚନ୍ଦନ, ପ୍ରଭାତ ମହାନ୍ତି, ଅରୁଣ ବରାଡ, ସୁନିଲ ନାୟକ, ଦୀପ୍ତିଲତା ମିଶ୍ର, ଅଭିଶେକ ସାହୁ, ଚନ୍ଦ୍ରଶେଖର ସାହୁ, ଅବଦୁଲ ହବିବ୍, ଦୀପକ ମଙ୍ଗୁଆଳ, ଆଭାସ ଦେ, ହାକିମ ମୁଦିନ, ଶିବଶଙ୍କର ପାତ୍ର, ରାଜୀବ ଜେନା, ବିକାଶ ମହାନ୍ତି, ଜିତ ପଟ୍ଟନାୟକ, ସରୋଜ ଶତପଥୀ, ସୁଲଦୀପ ଘଢେଇ, ଭବାନୀଶଙ୍କର ଧଡା, ବାରିପଦା ପୌରପାଳିକାର ସମସ୍ତ କାଉନସିଲର, ଗୋବିନ୍ଦ ବେହେରା, ମିଲିନ୍ କାନୁନଗୋ, କମଳ ଧଳ, ଆଶୀର୍ବାଦ ଦାସ, ଶେଖ୍ ଅମାନୁଲ୍ଲାଙ୍କ ସମେତ ଶହ ଶହ ସଂଖ୍ୟାରେ ଯୁବ, ଛାତ୍ର ଏବଂ ମହିଳାମାନେ ଯୋଗଦେଇଥିଲେ ।