ସ୍ନାନ ଯାତ୍ରା ପରେ ଜ୍ବରରେ ପୀଡ଼ିତ ଶ୍ରୀଜିଉ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଫୁଲୁରି ତେଲ ଓ ଓଷୁଅ ଲାଗି ପରେ ପ୍ରଭୁ ଧିରେ ଧିରେ ସୁସ୍ଥତା ଲାଭ କରୁଥିବାର ବିଶ୍ୱାସ ଦଇତାପତିଙ୍କ ମନରେ ଆସିଥାଏ । ଅଣସର ଦଶମୀ ଦିନ ତିନିଗୋଟି ପ୍ରସ୍ତର ଚକାକୁ ଅଣସର ପିଣ୍ଡିକୁ ଅଣାଯାଏ । ଦଇତା ସେବକମାନେ ସେହି ଚକାଉପରେ ବିଗ୍ରହମାନଙ୍କୁ ବିଜେ କରାଇଥାନ୍ତି । ଏହି ସେବାକୁ “ଚକା ବିଜେ” ନୀତି କୁହାଯାଏ । ଚକାବିଜେ ପରେ କସ୍ତୁରୀ ଓ କୁଙ୍କୁମର ଏକ ସ୍ୱତନ୍ତ୍ର ଲେପ ଦିଆଯାଏ । ଚକା ବିଜେ ଦିନ ରାତ୍ରରେ ଶ୍ରୀମନ୍ଦିର ବୈଦ୍ୟରାଜଙ୍କ ଗୃହରୁ ୧୦୮ ସଂଖ୍ୟକ ଦଶମୂଳ ମୋଦକ ଶ୍ରୀମନ୍ଦିରକୁ ଆସିଥାଏ । ସେହି ଦଶମୂଳ ମହୌଷଧି ସେବନ ପୂର୍ବକ ଜ୍ୱରାକ୍ରାନ୍ତ ମହାପ୍ରଭୁ ଆରୋଗ୍ୟ ଲାଭ କରିଥାନ୍ତି । ସ୍ନାନ ପୂର୍ଣ୍ଣିମା ପରେ ରାଜବୈଦ୍ୟ ଦଶଗୋଟି ମୂଳ ଯଥା:- ଗମ୍ଭାରୀ, ବେଲ,ଫଣଫଣା, ଅଗବଥୁ, ଶାଳପର୍ଣ୍ଣି, ଅଙ୍କରାନ୍ତି, ଗୋଖରା, କୃଷ୍ଣପର୍ଣ୍ଣି, ନବାଙ୍କୁରୀ ଓ ପାଟଳିକୁ ଶୁଖାଇ ଗୁଣ୍ଡକରି ତହିଁରେ ଦୁଗ୍ଧ, ଖୁଆ, ଶର୍କରା, ସର, ମହୁ ଓ ଘିଅ, ମିଶ୍ରଣ କରାଇ ଅଗ୍ନିରେ ସିଦ୍ଧ କରିଥାନ୍ତି । ସେହି ମିଶ୍ରଣରେ ପ୍ରସ୍ତୁତ ମୋଦକକୁ ତିନିଗୋଟି କୁଡୁଆରେ ରଖି କର୍ପୁର ସିଞ୍ଚନ ଦଶମୀ ତିଥିରେ ଶ୍ରୀମନ୍ଦିରକୁ ଅଣାଯାଏ । ଏକାଦଶୀରେ ପତିମହାପାତ୍ର ଏହି ମୋଦକକୁ ମହାପ୍ରଭୁଙ୍କୁ ଅର୍ପଣ କରିଥାନ୍ତି । ଏହି ଏକାଦଶୀରେ ମଧ୍ୟ ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପ୍ରଦତ୍ତ ୧୫ କିଲୋଗ୍ରାମ ଚନ୍ଦନ ଘୋରାଯାଇ ତହିଁରେ କର୍ପୁର, କେଶର ଓ କସ୍ତୁରୀ ମିଶ୍ରିତ ହେବାପରେ ଦଇତାପତିମାନେ ଜିଉମାନଙ୍କୁ ଲାଗି କରିଥାନ୍ତି । ଦ୍ୱାଦଶୀ ତିଥିରେ ଶୁଦ୍ଧସୁଆର ଘରେ ଗହମ ଚୁନାରେ ପ୍ରସ୍ତୁତ ଖଳିରେ କେଶର ଓ କସ୍ତୁରୀ ମିଶ୍ରିତ କରାଇ ପତିମହାପାତ୍ରଙ୍କ ଦ୍ୱାରା ସଂସ୍କାର ହେବାପରେ ଦଇତା ସେବକମାନେ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ଏଥି ସହିତ ରକ୍ତ ବସ୍ତ୍ର ମଧ୍ୟ ଲାଗି ହୋଇଥାଏ । ଏହି ଦିବସରେ ଦତ୍ତମହାପାତ୍ରଙ୍କ ଘରେ ଫୁଲ ଖଡିରେ କେଶର, କସ୍ତୁରୀ, କର୍ପୁର ମିଶ୍ରିତ ହୋଇ ଅଧିବାସ କରାଯାଇଥାଏ । ତ୍ରୟୋଦଶୀରେ ଖଡ଼ି ପ୍ରସାଦକୁ ଘଣ୍ଟ, ଛତା, ମଶାଲ, କହାଳୀ ବାଦନ ସହିତ ଶ୍ରୀମନ୍ଦିରକୁ ଅଣାଯାଏ । ତିନିଗୋଟି ରୂପା ପିଙ୍ଗଣରେ କର୍ପୁର ଜଳ ସହିତ ଖଡ଼ି ପ୍ରସାଦକୁ ଗୋଳାଇ ପତି ମହାପାତ୍ରଙ୍କ ଦ୍ୱାରା ସଂସ୍କାରିତ ହେବାପରେ ଦତ୍ତମହାପାତ୍ର ସେବକମାନେ ବନକ ଲାଗି ସେବା ଆରମ୍ଭ କରିଥାନ୍ତି। ଅମାବାସ୍ୟାରେ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଖଟ ଶେଯ ଘରେ ଓ ଅନ୍ୟ ପଞ୍ଚ ଅର୍ଚ୍ଚା ବିଗ୍ରହଙ୍କୁ ଦକ୍ଷିଣିଘରେ ଅବସ୍ଥାପିତ କରାଇବା ପରେ ପଟ୍ଟି ଦିଅଁମାନଙ୍କୁ ଅପସାରଣ କରାଯାଇ ନବଯୌବନ ଦର୍ଶନ ନୀତି ଅନୁଷ୍ଠିତ ହୋଇଥାଏ । ଅଣସର ଦଶମୀ ତିଥି ପର୍ଯ୍ୟନ୍ତ ବିଭିନ୍ନ ମଠ ଓ ପ୍ରଶାସନ ତରଫରୁ ଚକଟା ଭୋଗ ଓ ପଣା ଭୋଗ ଜିଉମାନଙ୍କୁ ଅର୍ପଣ କରାଯାଏ । ପ୍ରଭୁଙ୍କୁ କେବଳ ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ପୁଷ୍ପ ବ୍ୟତୀତ ତୁଳସୀ କିମ୍ବା ଅନ୍ୟ ରଙ୍ଗର ପୁଷ୍ପ ଅର୍ପଣ କରାଯାଏ ନାହିଁ । ଘଣ୍ଟ କିମ୍ବା କାହାଳୀ ବାଜେ ନାହିଁ । ଏକାଦଶୀ ଠାରୁ ତୁଳସୀ, ରଙ୍ଗୀନ୍ ପୁଷ୍ପ ସହିତ ଖଣ୍ଡୁଆପାଟ ଧାରଣ ପୂର୍ବକ ବଡ଼ଶୃଙ୍ଗାର ବେଶରେ ପ୍ରଭୁ ବିଭୂଷିତ ହୋଇଥାନ୍ତି । ସ୍ମରଣାତୀତ କାଳରୁ ପ୍ରଚଳିତ ଏହି ଗୁପ୍ତ ନୀତିରେ ଅନୁଷ୍ଠିତ ବିବିଧ ଉପଚାର ମଧ୍ୟରେ ପଣା, ଚକଟା ଭୋଗ, ସୂତା ଓ ପାଟ ଲାଗି, ଓଷୁଅ, ଫୁଲୁରି ତେଲ, ଖଳିଲାଗି, ମୋଦକ ଅର୍ପଣ ସହିତ ଘଣାଲାଗି, ଖଡ଼ିଲାଗି ଏବଂ ବନକ ଲାଗି ସେବା ଗୋପନୀୟ ଭାବରେ ଅଣସର ତାଟି ମଧ୍ୟରେ ଅନୁଷ୍ଠିତ ହୋଇଥାଏ ।
