
ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ସୃଷ୍ଟି କରିଛି ନୂଆ ରେକଡ୍ । ବିରୋଧୀଙ୍କୁ ମାତ ଦେଇ ଐତିହାସିକ ବିଜୟ ହାସଲ କରିଛି ବିଜେଡ଼ି । ତେବେ ବିଜେଡ଼ିର ଏହି ବଡ଼ ବିଜୟ ପରେ ସାମ୍ନାକୁ ଆସିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତୃତୀୟ ଦିନର ସମ୍ପୂର୍ଣ୍ଣ ଟ୍ରେଣ୍ଡ୍ ଆସିବା ପରେ ବିଜୟ ସୂଚକାଙ୍କ ଚିହ୍ନ ଦେଖାଇ ଫଟୋ ଛାଡ଼ିଛନ୍ତି ନବୀନ । ବିଜୁ ଜନତା ଦଳ ଉପରେ ଓଡ଼ିଶାବାସୀ ଭରସିଥିବାରୁ ଖୁସିବ୍ୟକ୍ତ କରିଛନ୍ତି ନବୀନ । ହସ ହସ ମୁହଁରେ ହାତଟେକି ବିଜୟୀ ସୂଚକ ଚିହ୍ନ ଦେଖାଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ ପଟ୍ଟନାୟକ ।
ଚଳିତ ପଞ୍ଚାୟତ ନିର୍ବାଚନରେ ପୂର୍ବରୁ-ପଶ୍ଚିମ, ଉତ୍ତରରୁ-ଦକ୍ଷିଣ ସାରା ଓଡ଼ିଶାରେ ଏକତରଫା ଭାବେ ବଢ଼ିଚାଲିଛି ବିଜେଡିର ଦବଦବା, ବିରୋଧୀଙ୍କୁ ମାଟି କାମୁଡାଇ ଦେଇଛନ୍ତି ବିଜେଡି ସୁପ୍ରିମୋ । କାରଣ ଏଯାବତ୍ ସଦ୍ୟତମ ତଥ୍ୟ ମୁତାବକ ୮୫୧ ଜୋନରୁ ଏକାକୀ ବିଜେଡି ୫୫୩ ଜୋନରେ ବିଜୟୀ ହୋଇସାରିଲାଣି, ଆହୁରି ଗଣତି ଚାଲିଛି ।
ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ତୃତୀୟ ଦିନରେ ୨୩୧ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ଅପରାହ୍ନ ୫ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୧ଟି ଜୋନରୁ ବିଜେଡି ୭୬୦ଟି ଜୋନରେ ଆଗୁଆ ରହିଛି, ବିଜେପି ୪୭ ଏବଂ କଂଗ୍ରେସ ୩୭ ଜୋନରେ ଆଗୁଆ ରହିଛି । ସେହିପରି ୩ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଆଗୁଆ ରହିଥିବାବେଳେ ୪ଟିି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।
ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଏବେସୁଦ୍ଧା ହୋଇଥିବା ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ଏଯାବତ୍ ସଦ୍ୟତମ ତଥ୍ୟ ମୁତାବକ ୮୫୧ ଜୋନରୁ ବିଜେଡି ୫୫୩ ଜୋନରେ ବିଜୟୀ, ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ କଂଗ୍ରେସ ୩୦ଟି ଓ ୬ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।