ନବୀନଙ୍କୁ ପୁରସ୍କାର ନେଇ ବିରୋଧୀଙ୍କ ଅଭିଯୋଗ, ଜବାବ୍ ରଖିଲା ବିଜେଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜୀବନବ୍ୟାପି ସାଧନା ସମ୍ମାନରେ ସମ୍ମାନିତ ହୋଇ ଆଜି ଓଡ଼ିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କୁ ସ୍ବାଗତ କରିବା ପାଇଁ ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ କଂଗ୍ରେସ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବରୋଧୀ ଅଭିଯୋଗ କରିଛନ୍ତି । ସେପଟେ ସମସ୍ତ ଅଭଯୋଗର ଜବାବ ରଖିଛି ବିଜେଡି ।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, “ଦିଲ୍ଲୀରେ ଅନେକ ସଂସ୍ଥା ଅଛନ୍ତି, ଯେଉଁମାନେ ବିଭିନ୍ନ ଲୋକଙ୍କୁ ପୁରସ୍କୃତ କରନ୍ତି । କେବଳ ପୂର୍ବତନ ମୁଖ୍ୟ ବିଚାରପତି ପୁରସ୍କାର ଦେଲେ ବୋଲି ଏହାର ଗୁରୁତ୍ବ ରହୁଛି। ସରକାରୀ ଦଳ ବାଜା ବଜାଇ ଏହାକୁ ପ୍ରଚାର କରୁଛନ୍ତି । ଯେକୌଣସି ଦଳ ତାର ଗୁରୁତ୍ବ ବଢାଇବା ପାଇଁ ପଦକ୍ଷେପ ନିଏ । ବିଜେଡି ତାର ନେତାଙ୍କୁ ବିଶ୍ଵର ସର୍ବଶ୍ରେଷ୍ଠ ନେତା ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି । ସେଥିପାଇଁ ଏହି ଆୟୋଜନ ହେଉଛି । ଲୋକ ଗ୍ରହଣ କରିବେ ଯଦି କରିବେ, ନହେଲେ ନାହିଁ ।”

ସେପଟେ ବିଜେପି ବିଧାୟକ ମୋହନ ଚରଣ ମାଝୀ ଏନେଇ କହିଛନ୍ତି ଯେ, “ଆଗାମୀ ୨୦୨୪ ରେ ସରକାରକୁ ଫେରିବା ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତ ହେଉଛି । ଏମିତି ପ୍ରାୟୋଜିତ ପୁରସ୍କାର ବିଭିନ୍ନ ସ୍ଥାନରୁ ଆଣିବେ । ସରକାର ପୁରସ୍କାର କାର୍ଡ ଖେଳୁଛନ୍ତି । ଆଗକୁ ମଧ୍ୟ ଖେଳିବେ । ଓଡ଼ିଶା କାହିଁକି ନମ୍ବର ୧ ହୋଇପାରୁନାହିଁ ତାହା ସରକାରୀ ଦଳ ଜବାବ ରଖିବା କଥା । ଲୋକେ ଦୁଃଖ ଦୁର୍ଦ୍ଦଶାରେ ରହୁଛନ୍ତି । ନିଯୁକ୍ତି ନଥିବାରୁ ବେକାରୀ ସମସ୍ୟା କାହିଁକି ବଢ଼ୁଛି ସରକାର ତାହର ରିପୋର୍ଟ ଦେବା କଥା । ରାଜ୍ୟର ଦାରିଦ୍ର୍ୟତା ବଢ଼ିଛି । ତାହାରି ଭିତରେ ପ୍ରାୟୋଜିତ ପୁରସ୍କାର ପାଇ ଖୁସି ହେବା ନିନ୍ଦନୀୟ କଥା । ଏ ପୁରସ୍କାରରେ ଲୋକଙ୍କ ସମସ୍ୟା ଦୂର ହେବନାହିଁ ।”

ସେପଟେ ବିରୋଧୀଙ୍କ ସବୁ ଅଭିଯୋଗର ଜବାବ ରଖିଛନ୍ତି ବିଜେଡିର ଉପ ସଭାପତି ଦେବୀ ମିଶ୍ର । ସେ କହିଛନ୍ତି, “ଗତ ୨୫ ବର୍ଷ ହେଲା ନବୀନ ବାବୁ ସମ୍ମୁଖରୁ ରାଜ୍ୟର ନେତୃତ୍ବ ନେଇଛନ୍ତି । ସାଂସଦରୁ କେନ୍ଦ୍ରମନ୍ତ୍ରୀ, ବିଧାୟକରୁ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ବିକାଶର ପୁରୋଧା ସାଜିଛନ୍ତି । ଲୋକଙ୍କ ଆକୁଣ୍ଠ ସମର୍ଥନ ହାସଲ କରିଛନ୍ତି । ପ୍ରାକୃତିକ ଦୁର୍ବିପାକ, ସାମାଜିକ ନିରାପତ୍ତା, ଖାଦ୍ୟ ନିରାପତ୍ତା, ଭିତ୍ତିଭୂମୀର ବିକାଶ ଓ ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଆଗକୁ ବଢିଛି । ଓଡ଼ିଶା ୧ ନମ୍ବର ମଧ୍ୟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର, ପ୍ରତ୍ୟେକଙ୍କ ପାଇଁ ଗର୍ବର କଥା । ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀ ଲାଳାୟିତ ନୁହନ୍ତି କି ବ୍ୟାକୁଳ ବି ନୁହଁନ୍ତି । ବିକାଶର ସାରଥି ହୋଇଥିବାରୁ ଦଳ, ମତ ନିର୍ବିଶେଷରେ ଆମେ ସମସ୍ତେ ଗର୍ବିତ । ସ୍ବାଭାବିକ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଫେରିବା ନେଇ ସମସ୍ତ ଓଡ଼ିଆଙ୍କ ମନରେ ଉତ୍କଣ୍ଠା ରହିଛି । ନିର୍ବାଚନ ଦୂରରେ ଅଛି । ୨୦୨୪ ନିର୍ବାଚନ ପ୍ରଚାର ସହିତ ଏହାର କିଛି ସମ୍ପର୍କ ନାହିଁ ।”

Related Posts