ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ, ଏକା ଲଢ଼ିବାକୁ ବିଜେପିର ଘୋଷଣା

ଭୁବନେଶ୍ୱର୨୨/୩ (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ | ଏକା ଲଢ଼ିବାକୁ ଘୋଷଣା କଲା ବିଜେପି। ଏନେଇ ସ୍ପଷ୍ଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସୋସିଆଲ ମିଡ଼ିଆ ‘ଏକ୍ସ’ ରେ ପୋଷ୍ଟ କରି ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବୁ ବୋଲି ସେ କହିଛନ୍ତି। ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଏକା ଲଢ଼ିବ ବୋଲି ସେ କହିଛନ୍ତି |

ସେ ଆହୁରି କହିଛନ୍ତି, ମୋଦି ସରକାରଙ୍କ ଅନେକ ଯୋଜନା ତୃଣମୂଳସ୍ତରରେ ପହଞ୍ଚି ପାରୁନି। ଓଡ଼ିଶାର ଗରିବ ଲୋକେ କେନ୍ଦ୍ରୀୟ ଯୋଜନାର ଫାଇଦା ପାଉନାହାନ୍ତି। ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନୁ। ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ସହମତ ହୋଇପାରୁନୁ। ଯେଉଁଠି ଡବଲ ଇଂଜିନ ସରକାର ଅଛି, ସେଠି ବିକାଶ ତ୍ୱରାନ୍ୱିତ ହୋଇଛି। ଏହି ଅବସରରେ ବିଜେଡି ସରକାରକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ମନମୋହନ। ମୋଦି ସରକାରକୁ ଅନେକ ପ୍ରସଙ୍ଗରେ ସମର୍ଥନ ଦେଇଥିବାରୁ ମନମୋହନ ଧନ୍ୟବାଦ ଜଣାଇଛନ୍ତି।

ତେବେ ମନମୋହନଙ୍କ ଏହି ଧନ୍ୟବାଦକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଥିଲେ ମଧ୍ୟ ବିଜେଡି ସହ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ହେବ ବୋଲି ଏହି ଧନ୍ୟବାଦ ବାର୍ତ୍ତା ସୂଚାଉଥିବା କୁହାଯାଉଛି | ତେବେ ପୂର୍ବରୁ ମଧ୍ୟ ମନମୋହନ ବିଜେପି ଏକା ଲଢ଼ିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ | ହେଲେ ପରେ ଏହାକୁ ଡିଲିଟ କରିଦେଇଥିଲେ |

Related Posts